ଅଜଣା ରୋଗ ଆତଙ୍କ : ବାଲେଶ୍ୱରର ରଘୁନାଥପୁର ଗାଁରେ ଗଲାଣି ୫ ଯୁବକଙ୍କ ଜୀବନ

30

କନକ ବ୍ୟୁରୋ : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବଇଁଚା ପଞ୍ଚାୟତର ରଘୁନାଥପୁର ଗାଁରେ କିଛିଦିନ ହେଲା ଏକ ଅଜଣା ରୋଗ ଲୋକଙ୍କ ନିଦ ହଜାଇ ଦେଇଛି। ବର୍ଷେ ଭିତରେ ଏହି ରୋଗ ଗାଁର ପାଞ୍ଚ ଜଣ ଯୁବକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆଖିବୁଜି ସାରିଲେଣି।  ଏବେ ଆଉ ୫ଜଣ ଯୁବକ ମଧ୍ୟ ସେହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପରିବାର ଲୋକେ ସର୍ବସ୍ୱାନ୍ତ ହୋଇପଡ଼ିଲେଣି ।

ଗତ ଏକ ବର୍ଷ ଭିତରେ ଅଜଣା ରୋଗରେ ପ୍ରାଣ ହରାଇଥିବା ଯୁବକମାନେ ହେଲେ ବ୍ରଜେନ୍ଦ୍ର ବେହେରାଙ୍କ ପୁଅ ଦୀପକ(୨୨), ଯୋଗେନ୍ଦ୍ର ବେହେରାଙ୍କ ପୁଅ ଶିବ(୨୩), ଭିକାରୀ ବେହେରାଙ୍କ ପୁଅ ନିତ୍ୟାନନ୍ଦ(୨୪), ପରମାନନ୍ଦ ବେହେରାଙ୍କ ପୁଅ ଧନଞ୍ଜୟ(୩୦) ଓ ସ୍ଥାନୀୟ ପୋତାଗାଁର ଦାମୋଦର ଜେନା(୩୫) । ଅନ୍ୟପକ୍ଷରେ ଏହି ରୋଗରେ ଆକ୍ରାନ୍ତ ଥିବା ରଘୁନାଥପୁର ଗାଁର ଯୁବକମାନେ ହେଲେ କୈଳାସ ମାଝୀଙ୍କ ପୁଅ ବାପୁ(୨୫), ବନମାଳୀ ମାଝୀଙ୍କ ପୁଅ ପ୍ରଦୀପ(୨୬), କଟି ତରେଇଙ୍କ ପୁଅ ରମେଶ(୨୭), ନିରଂଜନ ମାଝୀଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ମନୋରଂଜନ ଖଟୁଆଙ୍କ ପୁଅ ମାଲିରାମ(୨୮) ।

ତେବେ, ଏପର୍ୟ୍ୟନ୍ତ ସୁଦ୍ଧା ରୋଗ ଚିହ୍ନଟ କରାଯାଇନାହିଁ । ଏମାନେ ସମସ୍ତେ ହେଉଛନ୍ତି ଶ୍ରମିକ ଶ୍ରେଣୀର । ବେଙ୍ଗାଲୁରୁର ମିନାର୍ଜ ନାମକ ଏକ ପଥର ଗୁଣ୍ଡ କାରଖାନାକୁ କାମ କରିବାକୁ ଯାଇଥିଲେ । କିଛିଦିନ କାମ କରିବା ପରେ ଗୁଣ୍ଡ ପଥରର ଧୂଳିକଣା ଯୋଗୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ପଛରେ ଏହା ଏକ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।