ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

262

ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଗୁଣସୂତ୍ର ପରିବର୍ତ୍ତିତ ପ୍ରଜାତି ଜାନୁଆରି ୨୫ ତାରିଖ ସୁଦ୍ଧା ସମଗ୍ର ବିଶ୍ୱର ୭୦ଟି ଦେଶକୁ ବ୍ୟାପିଯାଇଛି।

‘ଭିଓସି୨୦୨୦୧୨/୦୧’ ଭାବେ ପରିଚିତ ଏହି ଭୂତାଣୁ ପୂର୍ବ ସଂକ୍ରମିତ ଭୂତାଣୁ ଠାରୁ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି। ଗତ ସପ୍ତାହକ ମଧ୍ୟରେ ଏହା ଆହୁରି ୧୦ଟି ଦେଶକୁ ବ୍ୟାପିଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ସେହିଭଳି, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ଅନ୍ୟ ଏକ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ସମ୍ପ୍ରତି ୩୧ଟି ଦେଶକୁ ବ୍ୟାପିଯାଇଛି। ଗୋଟିଏ ସପ୍ତାହ ତଳେ ଏହା ୮ରୁ ଅଧିକ ଦେଶକୁ ବ୍ୟାପିଯାଇଛି। ‘୫୦୧ଓ୍ଵାଇ.ଭି୨’ ଭାବେ ଏହି ଭୂତାଣୁକୁ ଚିହ୍ନିତ କରାଯାଇଛି।
ଏହି ପରିବର୍ତ୍ତିତ ଭୂତାଣୁ ଯୋଗୁଁ ପୁନଃସଂକ୍ରମଣ ଆଶଙ୍କା ରହିଛି ଏବଂ ସମ୍ପ୍ରତି ବଜାରକୁ ଆସିଥିବା କୋଭିଡ୍‌-୧୯ ଟିକାର ଫଳପ୍ରଦତା ପ୍ରତି ଏହା ଚାଲେଞ୍ଜ୍‌ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ପ୍ରକଟ କରିଛି। ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ଏହା ବ୍ୟତିରେକେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ତୃତୀୟ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁଟି ପ୍ରଥମେ ବ୍ରାଜିଲ୍‌ରେ ଚିହ୍ନଟ ହୋଇଥିଲା। ଦୁଇ ସପ୍ତାହ ମଧ୍ୟରେ ତାହା ୮ଟି ଦେଶକୁ ବ୍ୟାପିଯାଇଛି। ଏହି ଭୂତାଣୁକୁ ‘ପି୧’ ନାମରେ ଚିହ୍ନିତ କରାଯାଇଛି।