ପୁଣି ବଦନାମ ହେଲା ଓଡିଶା କ୍ରିକେଟ୍ ! ବୟସ ଜାଲିଆତିରେ ଧରାପଡି ବାସନ୍ଦ ହେଲେ ଦୁଇ କ୍ରିକେଟର ।

149

ବୟସ ଜାଲିଆତି ବିବାଦ ଓଡ଼ିଶା କ୍ରିକେଟ୍ ପିଛା ଛାଡୁନାହିଁ । ଆଗରୁ ପୁରୁଷ ଖେଳାଳିମାନେ ଧରାପଡ଼ି ବାସନ୍ଦ ହୋଇଥିଲା ବେଳେ ଏବେ ଜଣେ ମହିଳା ଖେଳାଳିଙ୍କ ଜାଲିଆତି ପଦାକୁ ଆସିଛି । ଏନେଇ ଓସିଏର ଦୃଷ୍ଟି ଆକର୍ଷଣ କରାଯିବା ପରେ ସ˚ପୃକ୍ତ ମହିଳା ଖେଳାଳିଙ୍କୁ ତୁରନ୍ତ ଟ୍ବେଣ୍ଟି-୨୦ ଶିବିରରୁ ବାସନ୍ଦ କରାଯାଇଛି । ଓସିଏ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ତାଙ୍କୁ ଓସିଏ ସ୍ବୀକୃତିପ୍ରାପ୍ତ ସମସ୍ତ ପ୍ରକାରର କ୍ରିକେଟରୁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ସ˚ପୃକ୍ତ ମହିଳା କ୍ରିକେଟର ଜଣକ ରାଉରକେଲାର ମୂଳ ବାସିନ୍ଦା ହୋଇଥିଲା ବେଳେ ଯାଜପୁର ଜିଲ୍ଲା ତରଫରୁ ଅନ୍ତଃଜିଲ୍ଲା କ୍ରିକେଟ୍ ଖେଳି ଆସୁଥିଲେ।

ମାଟ୍ରିକ ପ୍ରମାଣପତ୍ର, ଭୋଟର ପରିଚୟ ପତ୍ର ଓ ଆଧାରକାର୍ଡ କାଗଜପତ୍ରରେ ସେ ୧୯୯୪, ଜୁଲାଇ ୧୨ ତାରିଖରେ ଜନ୍ମ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ଗତବର୍ଷ ଓସିଏରେ ଦାଖଲ କରିଥିବା ସତ୍ୟପାଠରେ ୧୯୯୭, ସେପ୍ଟେମ୍ବର ୫ ତାରିଖ ବୋଲି ଦର୍ଶାଇଥିଲେ। ଏଥିପାଇଁ ସେ ଜାଲ୍ ପ୍ୟାନକାର୍ଡ ବାହାର କରିଥିଲା ବେଳେ, ବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ମଧ୍ୟ ଜାଲିଆତି କରାଯାଇଥିବା ମିଳିଥିବା ପ୍ରମାଣପତ୍ରରେ ଉଲ୍ଲେଖ ରହିଛି। ଖେଳାଳି ଜଣକ ଯାଜପୁର ଜିଲ୍ଲା ରଙ୍ଗାରଙ୍ଗ ସ୍ଥିତ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାପୀଠରୁ ମାଟ୍ରିକ ପାସ୍ କରିଛନ୍ତି। କିନ୍ତୁ ଓସିଏକୁ ଦେଇଥିବା ଦସ୍ତାବିଜରେ ସେ ଯାଜପୁର ପାଲଡ଼ାର ବାଘୁଆଶୁଣି ଉଚ୍ଚ ବିଦ୍ୟାଳୟର ପ୍ୟାଡ୍ ଦେଇଛନ୍ତି। ସେହି ବିଦ୍ୟାଳୟରୁ ଆଣିଥିବା ପ୍ରମାଣପତ୍ରରେ ତାଙ୍କ ଜନ୍ମ ୧୯୯୭ ମସିହା ସେପ୍ଟେମ୍ବର ୫ ତାରିଖ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ସେ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରିଛନ୍ତି। ରାଉରକେଲା ପୌରପାଳିକାରୁ ବାହାର କରାଯାଇଥିବା ଜନ୍ମ ପ୍ରମାଣପତ୍ରରେ ଜାଲିଆତି କରାଯାଇଥିବା ଦେଖାଯାଇଛି।

ଆଗାମୀ ଅନ୍ତଃରାଜ୍ୟ ପ୍ରତିଯୋଗିତା ଲାଗି ଗୁରୁବାରଠୁ କଟକରେ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ସମ୍ଭାବ୍ୟ ଖେଳାଳିଙ୍କ ଅଭ୍ୟାସ ଶିବିର ପାଇଁ ଓସିଏ ଏକାଡେମିରେ ରିପୋର୍ଟି˚ ତାରିଖ ଥିଲା। ତେବେ ଜାଲିଆତି ସମ୍ପର୍କରେ ଓସିଏ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବେଳେ ତୁରନ୍ତ ସ˚ପୃକ୍ତ ଖେଳାଳିଙ୍କୁ ଡକାଯାଇ ଘଟଣାର ସତ୍ୟତା ଅନୁସନ୍ଧାନ କରାଯାଇଥିଲା। ଖେଳାଳି ଜଣଙ୍କ ମଧ୍ୟ ଜାଲିଆତି ଘଟଣାକୁ ସ୍ବୀକାର କରି ନେଇଥିଲେ। ଫଳରେ ତାଙ୍କୁ ତୁରନ୍ତ ବାସନ୍ଦ କରିଦିଆଯାଇଛି। କର୍ତ୍ତୃପକ୍ଷ ପରବର୍ତ୍ତୀ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ତାଙ୍କୁ ବାସନ୍ଦ କରାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ସ˚ପୃକ୍ତ ମହିଳା କ୍ରିକେଟର ଜଣକ ୨୦୧୨-୧୩ ଋତୁରୁ ଓଡ଼ିଶା କନିଷ୍ଠ ମହିଳା ଦଳରେ ନିୟମିତ ଭାବେ ଖେଳିଆସୁଥିଲେ। ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ହୋଇଥିଲା ବେଳେ ଦକ୍ଷ ୱିକେଟ୍ ରକ୍ଷକ ମଧ୍ୟ ଥିଲେ। ତେବେ ଜାଲିଆତି ଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଖେଳ ଜୀବନ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି।