ଆଉ ଆମ୍ବୁଲାନ୍ସ ନ ମିଳିବା କାରଣରୁ ଯିବନି କେଉଁ ରୋଗୀର ଜୀବନ : ରୋଗୀଙ୍କ ପାଇଁ ପ୍ରସ୍ତୁତ ହେଲା ବାଇକ ଆମ୍ବୁଲାନ୍ସ , ବିଳମ୍ବ ବଦଳରେ ତୁରନ୍ତ ପହଁଚାଇବ ଡାକ୍ତରଖାନା ।

174

ଦେଶ ଯେତେ ଆଗେଇଲେ ବି ଏବେ ମଧ୍ୟ କିଛି ଅଞ୍ଚଳକୁ ରାସ୍ତା ନାହିଁ , ପୋଲ ନାହିଁ , ରୋଗୀଣା ଲୋକଟିଏ ପାଇଁ ଭଲ ହସ୍ପିଟାଲ୍ କି ଆମ୍ବୁଲାନ୍ସ ସେବାର ସୁବିଧା ନାହିଁ । ପ୍ରତିଦିନ ଖବରକାଗଜ ଏବଂ ଟିଭି ସ୍କ୍ରିନରେ ଆମ୍ବୁଲାନ୍ସ ଅଭାବ କାରଣରୁ ରୋଗୀର ମୃତ୍ୟୁ ଖବର ଦେଖିବାକୁ ମିଳୁଛି । ଏହି ଦେଶର ଗୋଟିଏ କୋଣରେ ନାନାଦି ସୁବିଧା ମିଳୁଥିଲେ ବି କିଛି ଅଞ୍ଚଳରେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକ । ତେବେ ସୋସିଆଲ୍ ମିଡିଆରେ ଏବେ ହାଇଦ୍ରାବାଦର ଏକ ଏନଜିଓର ମହତ୍ କାମର ଭିଡିଓ ଭାଇରାଲ୍ ହେଉଛି । ଏହି ଏନଜିଓ ବାଇକ୍ ଆମ୍ବୁଲାନ୍ସର ସେବା ଯୋଗାଇବା ଆରମ୍ଭ କରିଛି । ଖାସକରି ପରିଣତ ବୟସର ଲୋକଙ୍କ ପାଇଁ ଏହି ସେବା ଉପଲବ୍ଧ ।

ହାଇଦ୍ରାବାଦର ରେଳ ଷ୍ଟେସନ ପାଖରେ ରହୁଥିବା ୭୨ ବର୍ଷ ବୃଦ୍ଧ ଅନୁପଙ୍କ ହଠାତ ଦେହ ଅସୁସ୍ଥ ହୋଇ ପଡିଲା । ଆଖପାଖରେ ଥିବା ଲୋକେ ଆମ୍ବୁଲାନ୍ସକୁ ଫୋନ କଲେ କିନ୍ତୁ ଆମ୍ବୁଲାନ୍ସ ନ ଆସିବା କାରଣରୁ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ‘ହ୍ୟୁମାନ ରାଇଟସ୍ ଅର୍ଗାନାଇଜେସନ୍ ଅଫ ଗୁଡ ସମରିଟିଆନ୍ସ ଇଣ୍ଡିଆ’ ନିର୍ଦ୍ଦେଶକ ରାକେଶ ବାବୁଙ୍କ ଏନେଇ ଖବର ଦିଆଯାଇଥିଲା । ଏନଜିଓର ବାଇକ ଆମ୍ବୁଲାନ୍ସ ଆସି ତୁରନ୍ତ ରୋଗୀଙ୍କୁ ମେଡିକାଲ ନେଇ ପହଞ୍ଚାଇଥିଲା । ହାଇଦ୍ରାବାଦର ବ୍ୟସ୍ତ ବହୁଳ ରାସ୍ତାରେ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହୋଇପଡେ । ସେଥିମଧ୍ୟରେ ରୋଗୀର ଅବସ୍ଥା ଶୋଚନୀୟ ହୋଇପଡେ । ତେବେ ଏହି ଏନଜିଓ ସଂସ୍ଥା ଏହିପରି ଏକ ଗାଡି ଲୋକଙ୍କ ସେବା ଉପଲକ୍ଷେ ପ୍ରସ୍ତୁତ କରିଛି ଯେଉଁଥିରେ ହସ୍ପିଟାଲ୍ ପହଞ୍ଚିବାକୁ ଆଉ ବିଳମ୍ବ ହେବ ନାହିଁ । ଆଗକୁ ଏହାର ପରିସର ବୃଦ୍ଧି କରିବା ପାଇଁ ସଂସ୍ଥା ପକ୍ଷରୁ ଯୋଜନା କରାଯାଉଛି । ପୂର୍ବରୁ ଏହା ପରିଣତ ବୟସର ଲୋକଙ୍କୁ ନେଇ ଆଶ୍ରୟ ସ୍ଥଳୀ ପହଁଚାଉଥିଲା । ବର୍ତମାନ ଉକ୍ତ ସଂସ୍ଥାର ଏକ ବୃଦ୍ଧାଶ୍ରମ ରହିଛି ।