ଜନ୍ମରୁ ପରସ୍ପର ସହ ଯୋଡି ହୋଇ ଜନ୍ମ ହୋଇଥିଲେ ଦୁଇଭାଇ, ଏବେ ସରକାର ଦେଲେ ଚାକିରି

289

କନକ ବ୍ୟୁରୋ : ପଞ୍ଜାବର ଅମୃତସରରେ ରହୁଥିବା ଜାଆଁଳା ଭାଇ ସୋହନ ଓ ମୋହନ ଏବେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ଆତ୍ମନିର୍ଭର ହେବାକୁ ଚେଷ୍ଟା କରୁଥିବା ଏହି ଜାଆଁଳା ଭାଇଙ୍କୁ ପଞ୍ଜାବ ଷ୍ଟେଟ ପାୱାର କର୍ପୋରେଶନରେ ଚାକିରି ମିଳିଛି । ସବୁବେଳେ ଯୋଡି ହୋଇ ରହିଥିବା ଏହି ଦୁଇଭାଇ ସୋହନା ଓ ମୋହନା ପିଙ୍ଗଲବାଡା ଆଟିଆଇରେ ଡିପ୍ଲୋମା (ଇଲେକ୍ଟ୍ରିସିଆନ) କରିଛନ୍ତି । ରାଜ୍ୟ ସରକାର କ୍ରିସମାସ ପୂର୍ବରୁ ଏହି ଦୁଇ ଜାଆଁଳା ଭାଇଙ୍କୁ ଉପହାର ଦେଇଛନ୍ତି । ବୁଧବାର ଦିନ ଡେଣ୍ଟାଲ କଲେଜ ନିକଟରେ ଥିବା ୬୬ କେଭି ପିଏସପିସିଏଲ କାର୍ଯ୍ୟାଳୟରେ ଅଧିକାରୀ ଭାବେ ନିୟମିତ ମେଟ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସରକାରୀ ସୂତ୍ର ମୁତାବକ ସୋହନା ଓ ମୋହନା ଦୁଇଭାଇଙ୍କୁ ମାସିକ ୨୦ ହଜାର ଟଙ୍କାର ବେତନ ମିଳିବ । ପିଏସପିସିଏଲର ସିଏମଡି ବେଣୁ ପ୍ରସାଦ କହିଛନ୍ତି କି ଆମକୁ ସୂଚନା ମିଳିଥିଲା କି ଦୁଲ୍ଲର୍ଭ ଦିବ୍ୟାଙ୍ଗ ଦୁଇଭାଇ ଆଇଟିଆଇରେ ଡିପ୍ଲୋମା କରିଛନ୍ତି । ଏହାପରେ ସେମାନଙ୍କ ସହ ସଂପର୍କ କରାଯାଇଥିଲା । ସେମାନଙ୍କ ସାକ୍ଷାତ କରିବା ପରେ ସେମାନଙ୍କ ନିକଟରେ ଭଲ ବୈଷୟିକ ଜ୍ଞାନ ଥିବା ଜଣାପଡିଥିଲା । ଏହାପରେ ସେମାନଙ୍କୁ ଆମ ବିଭାଗରେ ଚାକିରୀ ଦିଆଯାଇଛି ବୋଲି ବେଣୁ ପ୍ରସାଦ କହିଛନ୍ତି ।

ଚାକିରୀ ପାଇବା ପରେ ସୋହନା ମୋହନା କହିଛନ୍ତି କି ରାଜ୍ୟ ସରକାର ଆମକୁ ସୁଯୋଗ ଦେଇଥିବାରୁ ଆମେ ସରକାରଙ୍କ ଠାରେ କୃତଜ୍ଞ । ସୋହନା କହିଛନ୍ତି କି ଆମେ ନିଜର ଦାୟିତ୍ୱ ଠିକ ଭାବେ ତୁଲାଇବାକୁ ଚେଷ୍ଟା କରିବୁ । ଅନ୍ୟପଟେ ଅଲ ଇଣ୍ଡିଆ ପିଙ୍ଗଲବାଡ ଚାରିଟେବୁଲ ସୋସାଇଟର ଚେୟାର ପର୍ଶନ ଇନ୍ଦ୍ରଜିତ କୌର କହିଛନ୍ତି କି ସୋହନା ମୋହନାଙ୍କୁ ସରକାରୀ ଚାକିରୀ ମିଳିବା ଆମ ପାଇଁ ବଡ ଗର୍ବର କଥା ।

କହିରଖୁ କି ସୋହନା ଓ ମୋହନାଙ୍କର ଜନ୍ମରୁ ଦୁଇଟି ହୃଦୟ, ଚାରୋଟି ହାତ ଥିବା ବେଳେ ସେମାନଙ୍କ ଗୋଟିଏ ଲିଭର, ଗୋଟିଏ ପିତାଶୟ ଓ ଦୁଇଟି ଗୋଡ ରହିଛି । ୨୦୦୩ ମସିହାରେ ଦିଲ୍ଲୀର ସୁଚେତା କୃପଲାନୀ ହସ୍ପିଟାଲରେ ସେମାନଙ୍କର ଜନ୍ମ ହୋଇଥିଲା । ଡାକ୍ତରମାନେ ଶତଚେଷ୍ଟା କରିଥିଲେ ବି ସେମାନଙ୍କୁ ଅଲଗା କରିବାରେ ସକ୍ଷମ ହୋଇ ନଥିଲେ । ଏହାପରେ ସେମାନଙ୍କ ପିତାମାତା ସେମାନଙ୍କୁ ଏମ୍ସରେ ଛାଡି ପଳାଇ ଯାଇଥିଲେ । ଏହାପରେ ମେଡିକାଲ ପକ୍ଷରୁ ପିଙ୍ଗଲବାଡା ଚାରିଟେବୁଲ ଟ୍ରଷ୍ଟ ସହ ସଂପର୍କ କରାଯାଇ ସେମାନଙ୍କୁ ସେଠାରେ ରଖା ଯାଇଥିଲା ।