ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା । ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ ।

222

କନକ ବ୍ୟୁରୋ : ଆଜି ଓଡ଼ିଶାରେ ଆଉ ୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି, ସେମାନେ ୧୧ ଓ ୧୫ବର୍ଷର ଦୁଇ ଜଣ ନାବାଳିକା । ନାଇଜେରିଆରୁ ଫେରିବା ପରେ ସେମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କୌଣସି ଲକ୍ଷଣ ନଥିଲା । ପରୀକ୍ଷା ପରେ ସେମାନଙ୍କ ଠାରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହା ପୂର୍ବରୁ ଓଡ଼ିଶାରେ ଆଉ ୨ଜଣଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା ।

ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ । ରାଜ୍ୟରେ ୪ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ନାଇଜେରିଆରୁ ଫେରିଥିବା ଆଉ ୨ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଦୁଇ ଆକ୍ରାନ୍ତଙ୍କ ବୟସ ୧୧ ଓ ୧୫ ବର୍ଷ । ଏହି ଦୁଇ ଝିଅ ବାପା ମାଆଙ୍କ ସହ ୧୩ ତାରିଖରେ ନାଇଜେରିଆରୁ ଫେରିଥିଲେ । ତେବେ ସେମାନଙ୍କ ବାପା, ମାଆ ଓ ଡ୍ରାଇଭର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନେ ସିଧାସଳଖ ଟ୍ୟାକ୍ସି ଯୋଗେ ଘରକୁ ଯାଇଥିଲେ । ସରକାରଙ୍କ ନିୟମ ଅନୁସାରେ ସେମାନେ ସଂଗରୋଧରେ ରହିଥିଲେ । ଦୁହିଁଙ୍କ ଠାରେ କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ମୋଟ ୪ ଜଣ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ନାଇଜେରିଆ ଫେରନ୍ତା ।

ଭାରତରେ ଓମିକ୍ରନ ଯୋଗୁ ତୃତୀୟ ଲହର ଆସିବ ବୋଲି ଏବେଠାରୁ କହି ହେବନି । ଏହା ଭାରତରେ ପ୍ରାରମ୍ଭିକ ସ୍ତରରେ ଅଛି ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଓଡ଼ିଶା ମୁଖ୍ୟ ଡାକ୍ତର ନିହାର ରାୟ । ଏହି ଭୂତାଣୁ ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ ପ୍ରାଥମିକ ସର୍ଭେ ଅନୁଯାୟୀ ଏହା ଏତେଟା କ୍ଷତିକାରକ ନୁହେଁ । ତେବେ କୋଭିଡ ନିୟମ ମାନିବା ଦରକାର ବୋଲି କହିଛନ୍ତି ଡାକ୍ତର ନିହାର ରାୟ । ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । କିପରି ସଂକ୍ରମଣକୁ ଅଧିକ ବ୍ୟାପିବାକୁ ଦିଆଯିବନାହିଁ, ଏ ନେଇ ତତ୍ପରତା ପ୍ରକାଶ ପାଇଛି ।