ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣାରେ ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଡିସିପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ରାଜ୍ୟ ମହିଳା ସାମ୍ବାଦିକା ସଂଘ ।

327

କନକ ବ୍ୟୁରୋ: ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ମାମଲାରେ ବଢ଼ିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଏବଂ ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

ଅନ୍ୟପଟେ ଡିସିପିଙ୍କୁ ଭେଟି ଅଭିଯୁକ୍ତ ଟୁଟୁ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ରାଜ୍ୟ ମହିଳା ସାମ୍ବାଦିକା ସଂଘ । ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ଏଥିସହ ମହିଳା ସାମ୍ବାଦିକାଙ୍କୁ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ଦିଗରେ ପୋଲିସ ସହାୟତା ଯୋଗାଇ ଦେବାକୁ ଡିସିପିଙ୍କୁ ନିବେଦନ କରିଛନ୍ତି । ତେବେ ଦାବିପତ୍ର ଗ୍ରହଣ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ନିରପେକ୍ଷ ତଦନ୍ତ କରାଯାଉଛି ଓ ନ୍ୟାୟ ପ୍ରଦାନ କରିବାକୁ ଡିସିପି ପ୍ରତିଶ୍ରୁତି ଦେଇଛନ୍ତି ।

ମହିଳା ସାମ୍ବାଦିକାଙ୍କୁ ଫିଲ୍ମ ପ୍ରଯୋଜକଙ୍କୁ ଟୁଟୁ ନାୟକ ଚାପୁଡା ମାରିବା ଘଟଣାକୁ ନିନ୍ଦା କରିଛି ବିଜେପି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଟୁଟୁ ନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ମଧ୍ୟ ନିନ୍ଦା କରିଛନ୍ତି ।