ଭୂକମ୍ପ ଝଟକାରେ ଛାରଖାର ତୁର୍କୀ-ସିରିଆ, ମାଟି ତଳେ ଏବେ ବି ଫସିଛି ଅନେକ ଜୀବନ

107

କନକ ବ୍ୟୁରୋ : ତୁର୍କୀ-ସିରିଆରେ ଭୁକମ୍ପର ବିଭତ୍ସ ଚିତ୍ର ସାରା ବିଶ୍ୱ ଆଖିରେ ଆଣିଦେଇଛି ଲୁହ । ଭୟଙ୍କର ଭୂମିକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କ ପ୍ରାଣ ଯାଇଛି । ଏପରିକି ଧ୍ୱଂସ କୋଠା ତଳେ ଅନେକ ଲୋକ ଦବି ହୋଇ ପ୍ରାଣ ହରାଇଛନ୍ତି । ବର୍ତମାନ ସୁଦ୍ଧା ଭୁକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୫ଶହ ଅତିକ୍ରମ କରିଛି । ଏହାରି ଭିତରେ ଅନେକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

ତୁର୍କୀ ଓ ସିରିଆରେ ଯେଉଁ ପ୍ରଳୟଙ୍କାରୀ ଭୂମିକମ୍ପ ହୋଇଛି, ଏହାର ଝଟ୍କା ପୂରା ବିଶ୍ୱକୁ ଦୋହଲାଇଛି । ସମୟ ବଢିବା ସାଙ୍ଗକୁ ତୁର୍କୀ ଓ ସିରିଆରୁ ଯେଉଁଭଳି ଛାତିଥରା କାହାଣୀ ସାମ୍ନାକୁ ଆସୁଛି, ତାହା କଲିଜା ଥରାଇଦେଉଛି । ସୋମବାର ଭୋର ସମୟରେ ହୋଇଥିବା ଭୂକମ୍ପ ଧ୍ୱଂସର ଲୀଳା ରଚିଛି । ଏବେ ସେହି ଧ୍ୱଂସାବଶେଷ ତଳେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଟିମ୍ । ଏହି ଧ୍ୱଂସ ଲୀଳା ଭିତରେ ବି କିଛି ଜୀବନ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ତୁର୍କୀ ଓ ସିରିୟାରେ ଭୟଙ୍କର ଭୂମିକମ୍ପ ଭିତରେ ବଡ ବଡ ଅଟ୍ଟାଳିକା ମାଟିରେ ମିଶି ଯାଇଛି । ମାଟିତଳେ ଦବି ଯାଇଛନ୍ତି ହଜାର ହଜାର ଲୋକ । ହେଲେ ସେହି ଧ୍ୱଂସ ସ୍ତୁପରୁ ଜୀବିତ ଆଉ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ଏକ ନବ ଜନ୍ମିତ ଶିଶୁ । ଉଦ୍ଧାରକାରୀ ଟିମ୍ ତାର ବାପା- ମାକୁ ବଂଚାଇ ପାରିନାହାନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ମାଟି ତଳୁ ଲୋକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଉଥିବା ବେଳେ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ଉଦ୍ଧାରକାରୀ ଟିମ୍ ଶିଶୁକୁ ଉଦ୍ଧାର କରିଛନ୍ତି । ସେହିପରି ଭୂକମ୍ପର ଧ୍ୱସ୍ତ ବିଲ୍ଡିଂ ତଳୁ ଉଦ୍ଧାର ହୋଇଛି ଆଉ ଏକ ନିଷ୍ପାପ ଶିଶୁ । ୪ ମାସର ଶିଶୁଟିକୁ ଭଙ୍ଗା ଘର ଭିତରୁ ଉଦ୍ଧାର କରାଯାଇଛି । ବହୁ କଷ୍ଟରେ ଉଦ୍ଧାରକାରୀ ଦଳ ତାକୁ ଭଙ୍ଗା ସ୍ଲାବ ତଳୁ ଉଦ୍ଧାର କରିଛନ୍ତି । ଭୂକମ୍ପର ଧ୍ୱସ୍ତ ବିଧ୍ୱସ୍ତ ଚିତ୍ର ଭିତରେ ଛାତି ଥରାଇବା ଭଳି ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଖାଲି ଏତିକି ନୁହେଁ ଧ୍ୱଂସ ସ୍ତୁପ ତଳେ କିଭଳି ଭଉଣୀଟି ତାର କୁନି ଭାଇକୁ ବଂଚାଇ ରଖିଛି ତାର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଭଙ୍ଗା ବିଲ୍ଡିଂର ସ୍ଲାବ ତଳେ ଚାପି ହୋଇ ରହିଛି ୭ ବର୍ଷର ଝିଅ । ଆଉ ପାଖରେ ରହିଯାଇଛି ତାର କୁନି ଭାଇ । ନିଜ ଭାଇକୁ ସୁରକ୍ଷା ଦେବାକୁ ହାତ କହୁଣୀ ଢାଙ୍କି ରଖିଛି । ଦୀର୍ଘ ୧୭ ଘଂଟାର ଯନ୍ତ୍ରଣା ସହି ନିଜ ଭାଇକୁ ଦେଇଥିଲା ସୁରକ୍ଷା । ଯେତେବେଳେ ଉଦ୍ଧାରକାରୀ ଟିମ୍ ତା ନିକଟରେ ପହଂଚିଥିଲେ, ସେତେବେଳେ ଝିଅଟି ମୁହଁରୁ ଯାହା ବାହାରିଥିଲା, ତାହା ସମସ୍ତଙ୍କୁ ତାଜୁବ୍ କରିଛି । ଭୟଭରା ଆଖିରେ କହିଥିଲା, ଆମକୁ ବଂଚାଇଦିଅ, ଯାହା କହିବ ଆମେ କରିବୁ, ସାରା ଜୀବନ ଆପଣଙ୍କ ଗୁଲାମ ହୋଇ ରହିବି । ଏହି କେଇ ପଦ ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିପକାଇଛି ।

ଭୂକମ୍ପରେ ସବୁକିଛି ଭାଙ୍ଗି ରୁଜି ମାଟିରେ ମିଶିଯାଇଛି । ନିଜ ପିଲାକୁ ଭଙ୍ଗା ଘରୁ ଖୋଜି ବୁଲୁଛନ୍ତି ପରିବାର ଲୋକ ଭୂକମ୍ପର ତାଣ୍ଡବଲୀଳା ଭିତରେ ଅନେକ ପ୍ରାଣହାନୀ ଘଟିଛି । ହଜାର ହଜାର ଲୋକ ନିଜ ପରିଜନଙ୍କୁ ହରାଇଛନ୍ତି ତ ଆଉ କିଛି ଧ୍ୱଂସଲୀଳା ପରେ ନିଜ ପ୍ରିୟଜନକୁ ଜୀବିତ ଦେଖି ଖୁସିରେ ଆତ୍ମହରା ହୋଇଛନ୍ତି ।