ଦୁର୍ଦ୍ଦିନରେ ଆଫଗାନିସ୍ତାନ ସାମ୍ବାଦିକ, ଟଙ୍କା ପାଇଁ ବିକ୍ରି କରିବେ କିଡନୀ

86

କନକ ବ୍ୟୁରୋ : ଲୋକଙ୍କ ପାଖରେ ଟିକନିକ୍ ଖବର ପହଂଚାଇବା ହେଉଛି ସାମ୍ବାଦିକର କର୍ତବ୍ୟ । ଯେତେ ସଂକଟ ଆସିଲେ ବି ସାମ୍ବାଦିକ ଜଣକ ଖବର ପାଇଁ କେବେବି ପଛଘୁଞ୍ଚ ଦିଏ ନାହିଁ । ତେଣିକି ଯୁଦ୍ଧ ମଇଦାନକୁ ଯିବାକୁ ପଡ଼ିଲେ ବି ସାମ୍ବାଦିକଙ୍କୁ ଯିବାକୁ ପଡ଼ିଥାଏ । କିନ୍ତୁ ଯେତେବେଳେ ସେହି ସାମ୍ବାଦିକଙ୍କ ପାଖରେ ଖାଇବା ପାଇଁ ଟଙ୍କା ନଥାଏ, ସେତେବେଳେ ସେ କ’ଣ କରିବେ? ବାଧ୍ୟ ହୋଇ ନିଜ କିଡନୀ ବିକିବାକୁ ବାଧ୍ୟ ହେବେ । ଆମେ କହୁଛୁ ଆଫଗାନ ସାମ୍ବାଦିକ ସାମି ଜହେଶଙ୍କ କଥା । ପାଖରେ ଅର୍ଥ ନଥିବାରୁ ଆଫଗାନିସ୍ତନର ଏହି ସାମ୍ବାଦିକ ଜଣକ ନିଜର କିଡନୀ ବିକ୍ରି କରିବା କଥା କହିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।

ଜହେଶ ଆଫଗାନିସ୍ତାନରେ ଆରୟାନା ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ୨୦୨୧ରେ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଜହେଶ ତାଲିବାନୀଙ୍କ ବିରୋଧରେ ରିପୋର୍ଟିଂ କରିଥିଲେ । ପରିଣାମ ସ୍ୱରୂପ ତାଲିବାନ ତାଙ୍କୁ ଧମକ ଓ ମାରପିଟ୍ କରିବା ସହ ତାଙ୍କୁ ମୁସଲିମ୍ ବଦଳରେ କାଫର ବୋଲି କହିଥିଲେ । ପରବର୍ତୀ ସମୟରେ ସେ ଭୟରେ ପାକିସ୍ତାନକୁ ଚାଲିଆସିଥିଲେ । ବର୍ତମାନ ପାକିସ୍ତାନରେ ଆର୍ଥିକ ଓ ଖାଦ୍ୟ ସଂକଟ ଲାଗି ରହିଥିବାରୁ ଜହେଶଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଛି । ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ନାହିଁ । ଖର୍ଚ୍ଚ ବହନ କରିବା ପାଇଁ ସେ ନିଜର କିଡନୀ ବିକ୍ରି କରିବା କଥା କହିଛନ୍ତି । ଜହେଶ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ତାଙ୍କ ପାଖରେ ଅର୍ଥ ନାହିଁ । ଖାଇବା ପାଇଁ ଖାଦ୍ୟ ବି ନାହିଁ । କିଡନୀ ବିକ୍ରି କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ସେ ତାଙ୍କ ଫଟୋ ଓ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଲେଖିଛନ୍ତି । ଯେଉଁମାନଙ୍କର କିଡନୀ ଆବଶ୍ୟକ ସେମାନେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବେ ବୋଲି ଲେଖିଛନ୍ତି ଜହେଶ ।

ଆଫଗାନିସ୍ତାନରେ ତାଲିବାନ୍ ଶାସନକୁ ଫେରିବା ପରେ ସେଠାରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ମାନବାଧିକାର କର୍ମୀ, ମହିଳା ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ପାଇଁ ବଂଚିବା କଷ୍ଟକର ହୋଇପଡ଼ିଛି ।