ରାଜଧାନୀର ଭିଡ଼ ଭିତରର ହିରୋ, କମଳଲୋଚନ । ନିଜେ ଯାଯାବର କିନ୍ତୁ ବୁଲା କୁକୁରଙ୍କ ପାଇଁ ଦେବଦୂତ । କମଳଲୋଚନଙ୍କ ନିସ୍ୱାର୍ଥପର ସେବାକୁ ଭିଭିଏସ ଲକ୍ଷ୍ମଣଙ୍କ ସାବାସୀ

790

କନକ ବ୍ୟୁରୋ: ଏମାନେ ହେଉଛନ୍ତି ବାସ୍ତବ ଜୀବନରେ ଭିଡ଼ ଭିତରର ହିରୋ । କମଳ ଲୋଚନ ବଳିୟାର ସିଂ । ଭାରତର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ଟୁଇଟ୍ ଆସିବା ପରେ ଚର୍ଚ୍ଚାକୁ ଆସିଛନ୍ତି କମଳ ଲୋଚନ । ତାଙ୍କର କାମ ଏବେ ତାଙ୍କୁ ଆଣିଛି ଚର୍ଚ୍ଚାକୁ । କାରଣ ତାଙ୍କର କାମ କିଛି ଭିନ୍ନ ଧରଣର । କଥାରେ ଅଛି ଭୋକ ସମସ୍ତଙ୍କ ପାଇଁ ସମାନ । ମଣିଷ ପରି ପଶୁପକ୍ଷୀଙ୍କୁ ବି ଭୋକ ହୋଇଥାଏ । ତେବେ ମଣିଷକୁ ଭୋକ ହେଲେ ସେ ଖାଇବାକୁ ମାଗିଥାଏ । ହେଲେ ପଶୁ ଟିଏ କରିବ କଣ । ଆଉ ଏହି କଥାକୁ ବେଶ୍ ଭଲ ଭାବେ ହୃଦୟଙ୍ଗମ କରିପାରିଛନ୍ତି କମଳ ଲୋଚନ ବଳିୟାରସିଂ ।

କଥା କହିପାରୁନଥିବା ପଶୁଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି କମଳଲୋଚନ । ଖାସ୍ ସେଇଥିପାଇଁ ତ ପ୍ରତିଦିନ ରାଜଧାନୀରେ ବୁଲା କୁକୁରଙ୍କୁ ସେ ଖାଇବାକୁ ଦେଉଛନ୍ତି । ନିଜେ ଜଣେ ଜରି ଗୋଟାଳି । ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ୍ ବଟଲ ପରି ସାମଗ୍ରୀ ସଂଗ୍ରହ କରିଥାନ୍ତି । ଏଭଳି ସ୍ଥିତିରେ ନିଜକୁ ପ୍ରତିଦିନ ଖାଇବା ମିଳିବ କି ନାହିଁ ସେ ଜାଣିନଥାନ୍ତି । ହେଲେ ତାଙ୍କ ଆଖପାଖରେ ଥିବା ବୁଲା କୁକୁରଙ୍କ ପାଇଁ ସେ କିନ୍ତୁ ଖାଇବା ଯୋଗାଡ କରି ଦେଇଥାନ୍ତି । ବୁଲା କୁକୁରଙ୍କ ପାଇଁ କମଳ ଲୋଚନଙ୍କ ଏପରି ଭଲ ପାଇବା ଆଜି ତାଙ୍କୁ ସମାଜର ଭିଡ ଭିତରୁ ଜଣେ ନିଆରା ମଣିଷ ଭାବେ ପରିଚୟ ଦେଇଛି । ଯେଉଁ ମାନଙ୍କ ନିକଟରେ ଭୋକିଲାଙ୍କୁ ଖାଇବାକୁ ଦେବାକୁ ସମସ୍ତ ସଂବଳ ରହିଛି ସେମାନେ କେବେ ଏହି କଥା ଚିନ୍ତା କରିନଥିବେ, ଯାହା କମଳ ଲୋଚନ କରି ଦେଖାଇଛନ୍ତି ।

ସତରେ କମଳ ଲୋଚନଙ୍କ ଏପରି ପଶୁ ପ୍ରେମ ବାସ୍ତବରେ ନିଆରା । ନିଜେ ଯାଯାବର ଜୀବନ ଜିଉଁଥିଲେ ମଧ୍ୟ ବୁଲା କୁକୁରଙ୍କ ପାଇଁ ପାଲଟି ଯାଇଛନ୍ତି ଦେବଦୂତ । ଆଉ ତାଙ୍କର ଏପରି ଉଦ୍ୟମ ପାଇଁ ରାଜଧାନୀରେ ଅନେକ ବୁଲା କୁକୁରଙ୍କ ପେଟକୁ ପ୍ରତିଦିନ ଯେ ଖାଦ୍ୟ ପହଁଂଚୁଛି ଏହାକୁ ଏଡାଇ ଦେଇ ହେବନି । କମଳ ଲୋଚନଙ୍କ ଏହି ଭଲ କାମ ଆମ ସମାଜର ନଜରକୁ ଆସିନଥିଲା । ଗଣମାଧ୍ୟମର ନଜର ବି ଆସିନି । ହେଲେ ଏପରି ଜଣେ ଭଲ ମଣିଷର ମଣିଷ ପଣିଆକୁ ଜାଣିବା ପରେ ଟୁଇଟ୍ କରି ସମସ୍ତଙ୍କୁ ଜଣାଇଛନ୍ତି ଭିଭିଏସ ଲକ୍ଷ୍ମଣ ।