ବଲାଙ୍ଗୀରରେ ଅଭାବନୀୟ ଘଟଣା ! ପୋଲିସ ଗାଡିକୁ ଅତିକ୍ରମ କରିବାରୁ ପିକ୍-ଅପ୍ ଭ୍ୟାନ ଡ୍ରାଇଭରକୁ ବେଲ୍ଟରେ ପିଟିଲେ କନେଷ୍ଟବଳ

32

କନକ ବ୍ୟୁରୋ : ଧୀରେ ଧୀରେ ପୋଲିସ ବାବୁଙ୍କ ଦାଦାଗିରି ପଦାରେ ପଡ଼ୁଛି । ମନ ଇଚ୍ଛା କାମ କରୁଛନ୍ତି ସରକାରୀ ଅଧିକାରୀ । ପାୱାରରେ ଅଛନ୍ତି ବୋଲି ସାଧାରଣ ଲୋକଙ୍କୁ ହଇରାଣ କରିବା, କଥା କଥାରେ ଲାଂଚ ମାଗିବା ଓ ମାରପିଟ କରିବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । କିଛି ଦିନ ପୂର୍ବରୁ ଜଣେ ଟ୍ରାଫିକ କନେଷ୍ଟବଳ ଲାଂଚ ନେଉଥିବା ବେଳେ ଧରାପଡ଼ିଲେ ବୋଲି ଖବର ଆସିଥିଲା । ତେବେ ଏପରି ଘଟଣା ଖୁବ ସାଧାରଣ ହୋଇଗଲାଣି । ନିଜ ସୁବିଧା ପାଇଁ ବାବୁମାନେ ଲୋକଙ୍କ ସହ ମନଇଚ୍ଛା ବ୍ୟବହାର କରୁଛନ୍ତି । ବଲାଙ୍ଗୀରରେ ଘଟିଛି ଅଭାବନୀୟ ଘଟଣା ।

ପିକଅପ ଭ୍ୟାନ ଟ୍ରାଫିକ ପୋଲିସ ଗାଡିକୁ ଅତିକ୍ରମ କରିବାରୁ ଭ୍ୟାନର ଡ୍ରାଇଭରକୁ ପିଟିଛନ୍ତି ଟ୍ରାଫିକ ପୋଲିସ । ଗତକାଲି ରାତିରେ ଟିଟଲାଗଡ ରାସ୍ତାପଟୁ ଆସୁଥିବା ପିକଅପ ଭ୍ୟାନ ଟ୍ରାଫିକ ପୋଲିସ ଚଳାଉଥିବା ଗାଡିକୁ ଅତିକ୍ରମ କରି ଆଗକୁ ଚାଲିଯାଇଥିଲା । ଫଳରେ ବାଇକରେ ଥିବା ଟ୍ରାଫିକ ପୋଲିସ ପିକ ଅପ ଆଗକୁ ଆସି ଡ୍ରାଇଭରକୁ ବେଲ୍ଟରେ ମାଡ ମାରିଥିଲେ । ଆଖପାଖରେ ଥିବା ଲୋକେ ଏହା ଦେଖିବା ପରେ ସଂପୃକ୍ତ ପୋଲିସ ମାଡ ମାରିବାରୁ ଓହରିଥିଲେ । ଏହି ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି ।