ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଲାଗି ଚାଲିଛି କସରତ ! ସର୍ବଦଳୀୟ ବୈଠକରେ ଯୋଗ ଦେବେ ନବୀନ

ଆଜିଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ

152

କନକ ବ୍ୟୁରୋ: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଲୋକସଭାରେ ପ୍ରତିନିଧିତ୍ବ କରୁଥିବା ସବୁ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ନେଇ ବିଜେଡି ସଭାପତିଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ। ଖବର ଅନୁସାରେ, ଜୁନ୍ ୧୯ ତାରିଖ ଅପରାହ୍ନ ୩ଟା ବେଳେ ସଂସଦର ଗ୍ରନ୍ଥାଗାରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିରେ ‘ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ସହମତି ଲୋଡିବେ ।

ଏ ପ୍ରସଙ୍ଗକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ସାରିଛନ୍ତି। କେବଳ ସେତିକି ନୁହେଁ , ୨୦୦୪ ମସିହାରୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ହେଉଛି । ବର୍ତମାନ ସମୟରେ ଏଭଳି ଏକ ପ୍ରସଙ୍ଗରେ ଓଡ଼ିଶାର ସମର୍ଥନ କେନ୍ଦ୍ରକୁ ବଳ ଦେବ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।
କେବଳ ଏହି ଗୋଟିଏ ପ୍ରସଙ୍କ ନୁହେଁ , ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ ଭାରତ ନିର୍ମାଣ ଖସଡା ନେଇ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ସରକାର।

ନିର୍ବାଚନ ଆଗକୁ ପ୍ରଧାନମନ୍ତ୍ରୀ ନୂଆ ଭାରତ ନିର୍ମାଣ ସଂପର୍କରେ ସୂଚାଇଥିଲେ। ଓଡ଼ିଶା ସରକାର ମଧ୍ୟ ବିକାଶ ନାରା ଦେଇ ନୂଆ ତଥା ସମୃଦ୍ଧ ଓଡ଼ିଶା କଥା କହିଛନ୍ତି। ନୂଆ ଭାରତ ନିର୍ମାଣ ବେଳେ ଓଡ଼ିଶାର ଭୂମିକା କିଭଳି ରହିବ, ରାଜ୍ୟ କେଉଁ କେଉଁ କ୍ଷେତ୍ରରେ ସମୃଦ୍ଧର ସୁଯୋଗ ରହିଛି, ତଥା କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିପାରନ୍ତି ନବୀନ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ଏବଂ ସଂସଦୀୟ କାର୍ଯ୍ୟଧାରାକୁ ଗଠନମୂଳକ କରିବା ନେଇ ମଧ୍ୟ ଆଲୋଚନା ହେବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶଦ୍ଦ ଯୋଡିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ଉପରେ ଅନ୍ୟ ରାଜ୍ୟମାନେ କି ମତ ରଖୁଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉଲ୍ଲେଖଯୋଗ୍ୟ, ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ଚିଠିରେ ଏ ସଂପର୍କରେ ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀ ୨୦ ତାରିଖ ଦିନ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।