କଟକରେ ଓଡିଆ ଦର୍ଶକ ଦେଖିବେ ଦମଦାର ଲଢେଇ । ବାରବାଟୀରେ ଆଜି ନିର୍ଣ୍ଣାୟକ ମ୍ୟାଚ୍ ଖେଳିବେ ଭାରତ ଓ ୱେଷ୍ଟଇଣ୍ଡିଜ

ମ୍ୟାଚ ଜିତି, ସିରିଜ ଜିତିବାକୁ ଚାହିଁବେ ଦୁଇ ଦଳ; ଟିମ୍ ଇଣ୍ଡିଆ ସପକ୍ଷରେ ଅଛି ରେକର୍ଡ

216

କନକ ବ୍ୟୁରୋ: ଓଡିଆ କ୍ରିକେଟ ଫ୍ୟାନଙ୍କ ପାଇଁ ବିରଳ ସୁଯୋଗ ଆଣିଦେବ ବାରବାଟୀ ଗ୍ରାଉଣ୍ଡ । କାରଣ ସିରିଜ ବିଜୟ ପାଇଁ ଆଜି କଟକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ । ଦୁଇ ଦଳ ମଧ୍ୟରେ ଆଜି ଖେଳିଯିବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରେ ଏହି ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ପରେ ସିରିଜ ୧-୧ରେ ବରାବର ଥିବାରୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢିଯାଇଛି । ଏଠାରେ ଯିଏ ଜିତିବ, ସିରିଜ ସିଏ କବଜା କରିବ ।

ତେଣୁ ଓଡିଆ ଦର୍ଶକ ବାରବାଟୀରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ପାଇବେ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ବିସ୍ମିିତ କଲାଭଳି ପ୍ରଦର୍ଶନ କରିଥିଲେ ମଧ୍ୟ ବିଶାଖପାଟଣାରେ ଟିମ୍ ଇଣ୍ଡିଆ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ସଫଲ ପ୍ରତ୍ୟାବର୍ତନ କରିଥିଲା । କ୍ୟାପଟେନ୍ କୋହଲିଙ୍କ ‘ଡକ୍’ ଆଉଟକୁ ଛାଡିଦେଲେ ଅନ୍ୟ ସମସ୍ତ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ଭାରତ ଏହା ପୂର୍ବରୁ କ୍ରମାଗତ ୯ଥର ଦ୍ୱିପାକ୍ଷୀକ ସିରିଜ ବିଜୟୀ ହୋଇଛି । ତେଣୁ ବାରବାଟୀ ମ୍ୟାଚ ଜିତି ଦଳ ଏହି ସଂଖ୍ୟାକୁ ୧୦ରେ ପହଂଚାଇବାକୁ ଚେଷ୍ଟା କରିବ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜକୁ ୨-୧ରେ କବଜା କରିଥିଲା କୋହଲି ବାହିନୀ ।

ସେପଟେ, ବାରବାଟୀର ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ପଡିଆରେ କାକର ପଡିବା ଆଶଙ୍କା ଥିବାରୁ ବଲ ଅଧିକ ସୁଇମ୍ କରିବନି । ଯାହାର ଫାଇଦା ବ୍ୟାଟ୍ସମ୍ୟାନଙ୍କୁ ମିଳିବ । ଫଳରେ ବାରବାଟୀରେ ଟସ୍ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ବାରବାଟୀର ଆଉଟ୍ଫିଲ୍ଡ ଦ୍ରୁତ ରହିଛି ଏବଂ ମ୍ୟାଚ୍ରେ ବଡ ସ୍କୋର ହେବ ବୋଲି ଆକଳନ କରାଯାଇଛି । ଭାରତ ଆଗରେ ଚ୍ୟାଲେଂଜ୍ ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲିଂ । ତେଣୁ ତାକୁ ସାମ୍ନା କରିବାକୁ ଅଭ୍ୟାସ କରିଛନ୍ତି ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ । ସେପଟେ କାରିବିିୟାନ୍ ଟିମ୍ ମଧ୍ୟ ନେଟ୍ସରେ ଜୋରଦାର ଅଭ୍ୟାସ କରିଛି । ବିଶାଖାପାଟଣା ଦିନିକିଆର ହାଇ ସ୍କୋର ଯେମିତି ବାରବାଟୀରେ ଆଉ ଦେଖିବାକୁ ମିଳିବନି ସେଥିପାଇଁ ବୋଲିଂ ଉପରେ ଗୁରୁତ୍ୱ ଦେବ ୱେଷ୍ଟଇଣ୍ଡିଜ ।

ଗତ ୧୩ ବର୍ଷ ହେଲା ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷୀକ ସିରିଜ ଜିତିପାରି ନାହିଁ ୱେଷ୍ଟଇଣ୍ଡିଜ । ତେଣୁ ଦଳ ବାରବାଟୀରେ ଏହି ଧାରା ଭାଙ୍ଗିବାକୁ ଚାହିଁବ । ଚେନ୍ନାଇରେ ବାମହାତୀ-ଡାହାଣହାତୀ କମ୍ବିନେସନ୍, ଭାରତୀୟ ବୋଲରଙ୍କୁ ନିରାଶ କରିଥିଲା । ୱେଷ୍ଟଇଣ୍ଡିଜ ବିଜୟର ନେତୃତ୍ୱ ନେଇଥିଲେ ହେଟମେର ଓ ଶାଇ ହୋପ । ଚେନ୍ନାଇରେ କ୍ୟାରିୟରର ଶ୍ରେଷ୍ଠ ୧୩୯ ରନ୍ କରିଥିବା ହେଟମେରଙ୍କୁ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ୮.୫ କୋଟି ଟଙ୍କାରେ କିଣିଛି କିଙ୍ଗସ ଇଲେଭେନ ପଞ୍ଜାବ । ତେଣୁ ତାଙ୍କ ମନୋବଳ ଉଚ୍ଚା ରହିଛି । ରୋହିତ ଶର୍ମାଙ୍କ ପଛକୁ ଶାଇ ହୋପ ଚଳିତବର୍ଷ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛନ୍ତି ।

ସେହିଭଳି ଗତ ମ୍ୟାଚରେ ମୁଖ୍ୟ ଆକର୍ଷଣ କରିଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ୨୨୦ ରନର ଭାଗିଦାରି । ବିଶାଖପାଟଣାରେ ୧୫୯ ରନ୍ କରିଥିବା ରୋହିତ ଶର୍ମା ବାରବାଟୀରେ ଆଉଏକ ରେକର୍ଡ କରିବାର ଦ୍ୱାର ଦେଶରେ ପହଂଚିସାରିଛନ୍ତି । କଟକରେ ମାତ୍ର ୯ ରନ୍ କଲେ ଜଣେ ଓପନର ଭାବରେ କ୍ରିକେଟର ସବୁ ଫର୍ମାଟରେ ସେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାବେ ରେକର୍ଡ କରିବେ । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୂର୍ଯ୍ୟାଙ୍କ ୨୨ ବର୍ଷର ରେକର୍ଡକୁ ଭାଙ୍ଗିବେ ରୋହିତ । ଗତବର୍ଷ ଜୁନରେ ଆଇସିସି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ସ୍ଥିର ପ୍ରଦର୍ଶନ କରିଆସୁଛନ୍ତି ରୋହିତ ଶର୍ମା । ଏହି ସିରିଜରେ ମଧ୍ୟ ସେ ୱେଷ୍ଟଇଣ୍ଡିଜ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । … ତାଙ୍କଛଡା ଶ୍ରେୟାସ ଆୟାର ଓ ରିଷଭ ପନ୍ତ ମଧ୍ୟ ବାରବାଟୀରେ ଶ୍ରେଷ୍ଠ ପ୍ରଦର୍ଶନ କରି ବର୍ଷ ଶେଷ କରିବା ଲକ୍ଷ୍ୟରେ ରହିବେ । … ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ବାରବାଟୀରେ ତାଙ୍କର ଏକଦିବସୀୟ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୀପକ ଚହର ଆହତ ଥିବାରୁ ତାଙ୍କ ସ୍ଥାନରେ ସାଇନିଙ୍କୁ ଦଳରେ ନିଆଯାଇପାରେ ।