କେନ୍ଦ୍ରୀୟ ରିପୋର୍ଟକୁ ଭରଷା କରିପାରୁନାହିଁ ରାଜ୍ୟ । ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ହେବ ବାଘ ଗଣନା

236

କନକ ବ୍ୟୁରୋ : ଓଡ଼ିଶାରେ ୨୮ ନୁହେଁ, ଅଧିକ ବାଘ ଅଛନ୍ତି। ନୂଆ କରି କେତେକ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ବାଘ କଏଦ୍ ହୋଇଛନ୍ତି। ତେଣୁ କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟରେ ଓଡ଼ିଶାର ଯେଉଁ ସଂଖ୍ୟା ଉଲ୍ଲେଖ କରାଯାଇଛି, ତାହା ଠିକ୍ ନୁହେଁ ବୋଲି ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଅଜୟ କୁମାର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ ବନ ବିଭାଗ ଆସନ୍ତା ବର୍ଷ ବାଘ ଗଣନା କରିବ ବୋଲି ଜଣାପଡ଼ିଛି।

image courtesy – www.odishabytes.com

କେନ୍ଦ୍ରୀୟ ଗଣନା ରିପୋର୍ଟ ଆସିବା ପରେ ପ୍ରଥମ ଥର ପାଇଁ ଶ୍ରୀ ମହାପାତ୍ର ଗଣମାଧ୍ୟମରେ ମୁହଁ ଖୋଲିବା ସହ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବାଘ ଦୃଷ୍ଟିଗୋଚର ହୋଇଥିବା ରାଜ୍ୟର ନୂଆ ବନଖଣ୍ଡକୁ ଗଣନାରେ ସାମିଲ କରାଯାଇ ନାହିଁ। କେବଳ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣନା କରାଯାଇଥିବାରୁ ସଠିକ୍ ତଥ୍ୟ ପଦାକୁ ଆସିପାରିନି। ତେଣୁ ବାଘଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ। ୨୦୧୬ ଭଳି ୨୦୨୦ ମାର୍ଚ୍ଚ ମାସ ତଥା ଗ୍ରୀଷ୍ମ ଋତୁ ସମୟରେ ଏହି ଗଣନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟରେ ବାଘଙ୍କ ପ୍ରକୃତ ସଂଖ୍ୟାକୁ ନେଇ ୨୦୧୪ ପରି ୨୦୧୮ର ଗଣନା ତଥ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି ଯେ ଗତ ତିନି ବର୍ଷ ମଧ୍ୟରେ ସୁନ୍ଦରଗଡ଼ର ହେମଗିରି ଜଙ୍ଗଲରେ ମହାବଳ ବାଘକୁ ଠାବ କରାଯାଇଥିଲା। ଗର୍ଜନ ପାହାଡ଼ରେ ଏକ କଳାବାଘ ତାର ମା’ ସହ ଦେଖାଯାଇଥିଲା। ସମ୍ବଲପୁର ଜିଲ୍ଲା ହୀରାକୁଦକୁ ଲାଗି ରହିଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ଏବଂ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ମଧ୍ୟ ମହାବଳ ଠାବ ହୋଇଥିଲା। ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି କ୍ୟାମେରା ଟ୍ରାପ୍ ଲଗାଇବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ କେନ୍ଦ୍ରୀୟ ସଂସ୍ଥା କେବଳ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଗଣନା କରୁଛନ୍ତି। ଏହାଦ୍ୱାରା ସଠିକ୍ ଭାବେ ବାଘଙ୍କ ସଂଖ୍ୟା ନିର୍ଦ୍ଧାରଣ ସମ୍ଭବପର ନୁହେଁ ବୋଲି ଅଧିକାରୀ ଜଣକ ମତ ପ୍ରକାଶ କରିଛନ୍ତି।

ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଓଡ଼ିଶାର ବାଘ କୁଆଡ଼େ ଯାଇନାହାନ୍ତି। ଜଙ୍ଗଲ ବଢ଼ୁଥିବାରୁ ବାଘଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ୧୯୭୧ରେ ପ୍ରଥମେ ଓଡ଼ିଶାରୁ ହିଁ ପଗ୍ ମାର୍କ ମାଧ୍ୟମରେ ବାଘ ଗଣନା ଆରମ୍ଭ ହୋଇଥିଲା। ତେଣୁ ଓଡ଼ିଶାରେ ବାଘ ସଂଖ୍ୟା ଅପରିବର୍ତ୍ତିତ ରହିବା ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।