ହକି ବିଶ୍ୱକପ ଉଦଘାଟନୀ ଉତ୍ସବ : ଅନଲାଇନରେ ମଙ୍ଗଳବାରରୁ ମିଳିବ ଟିକେଟ, ଜାଣନ୍ତୁ କେଉଁ ୱେବସାଇଟରୁ ଟିକେଟ ବୁକ୍ କରିବେ ହକି ପ୍ରେମୀ 

120

କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା ୨୦ ତାରିଖରେ ଅନଲାଇନରେ ବିକ୍ରି ହେବ ଟିକେଟ । ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ୨୦ ତାରିଖ ୧୨ଟା ସମୟରେ ଅନଲାଇନରେ ଟିକେଟ କାଟିପାରିବେ ହକିପ୍ରେମୀ । ଅନଲାଇନରେ କାଟିଥିବା ଟିକେଟ ହକିପ୍ରେମୀ ମାନେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରରୁ ନେଇପାରିବେ । www.ticketgenie.in ସାଇଟକୁ ଯାଇ କ୍ରୀଡାପ୍ରେମୀ ମାନେ ଅନଲାଇନରେ ଟିକେଟ କାଟିପାରିବେ ।

ହକି ବିଶ୍ୱକପ ପାଇଁ ୨୭ ଓ ୨୮ ତାରିଖ ଦୁଇ ଦିନ ଉଦଘାଟନୀ ଉତ୍ସବ ହେବ । ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବାକୁ ଥିବା ବେଳେ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ଟିକେଟ ଅନଲାଇନ ମାଧ୍ୟମରେ ବିକ୍ରି ହେବ । ଅଫଲାଇନରେ କୌଣସି ଟିକେଟ ବିକ୍ରି କରାଯିବ ନାହିଁ । ୨୭ ତାରିଖ ଉଦଘାଟନୀ ଉତ୍ସବ ପାଇଁ ମୋଟ ୧୦୦୦୦ ହଜାର ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ୨୮ ତାରିଖ ପାଇଁ ୩୦୦୦୦ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ତେବେ ଉଦଘାଟନୀ ଉତ୍ସବରେ କୌଣସି ପାସ୍ ବ୍ୟବସ୍ଥା ରହିବ ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା ଏ.ଆର ରେହମାନ ଯୋଗ ଦେଉଥିବାରୁ ଏହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି । ବଲିଉଡ ତାରକାଙ୍କୁ ଏତେ ପାଖରୁ ଦେଖିବାର ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି କ୍ରୀଡାପ୍ରେମୀ । ଏହାଛଡା ଭାରତ ଖେଳିବାକୁ ଥିବା ମ୍ୟାଚ୍ ଗୁଡିକର ଟିକେଟ ଶେଷ ହୋଇଯାଇଛି ।