କିରଗିଜସ୍ତାନ ଗସ୍ତରୁ କଟିଲା ୩ ସଦସ୍ୟଙ୍କ ନାମ, ବ୍ରିଜଭୂଷଣଙ୍କ ବିରୋଧରେ ବୟାନ ଦେଇଥିବା ରେଫେରୀ ବି ବାଦ୍ ପଡିଲେ

272

କନକ ବ୍ୟୁରୋ : ଏସିଆ କୁସ୍ତି ଚମ୍ପିଆନଶିପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କିରଗିଜସ୍ତାନରେ ହେବାକୁ ଥିବା ପ୍ରତିଯୋଗିତିା ପାଇଁ କୁସ୍ତିଯୋଦ୍ଧାଙ୍କ ସମେତ ସହାୟକ କର୍ମଚାରୀଙ୍କ ନାମ ବି ବହୁ ଆଗରୁ ଘୋଷଣା ହୋଇସାରିଥିଲା । ହେଲେ ଏବେ ଚୟନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣଙ୍କ ନାମ ବାଦ ଦିଆଯାଇଛି । ଏବେ ଭାରତୀୟ ଦଳ ଏହି ୩ଜଣଙ୍କ ବିନା କରଗିଜସ୍ତାନ ଗସ୍ତ କରିବେ । ଏହି ଗସ୍ତରୁ ବାଦ ପଡିଥିବା ୩ଜଣଙ୍କ ମଧ୍ୟରୁ ଜଣେ ଏଭଳି ଲୋକ ଅଛନ୍ତି ଯେ କି, କିଛିଦିନ ପୂର୍ବରୁ ବ୍ରିଜଭୂଷଣ ଶରଣ ସିଂଙ୍କର ସମାଲୋଚନା କରିଥିଲେ ଓ ତାଙ୍କୁ କୁସ୍ତିସଂଘର ବାହାର କରାଯାଉ ବୋଲି ଉଠିଥିବା ଦାବିକୁ ସମର୍ଥନ କରିଥିଲେ ।

ଭାରତୀୟ କୁସ୍ତିସଂଘ ତରଫରୁ କିରଗିଜସ୍ତାନ ଗସ୍ତରୁ ଯେଉଁ ୩ଜଣଙ୍କୁ ବାଦ୍ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଜଣେ କୋଚ୍ ଓ ୨ଜଣ ରେଫେରୀ ସାମିଲ ଅଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ୩ଜଣଙ୍କ ବିରୋଧରେ ଅଭିଯୋଗ ହେବାରୁ ସେମାନଙ୍କୁ ବାଦ ଦିଆଯାଇଛି । ବାଦ ପଡିଥିବା ରେଫେରୀ ବିରେନ୍ଦ୍ର ମଲ୍ଲିକଙ୍କ ଉପରେ ୨୦୧୪ ମସିହାରେ ସ୍କଟଲାଣ୍ଡରେ ଅଭିଯୋଗ ଆସିଥିଲା  । ସେଠିକାର ପୋଲିସ ରାଷ୍ଟ୍ରମଣ୍ଡଳ ଖେଳ କ୍ରମରେ ତାଙ୍କୁ ୍ରଅଟକାଇଥିଲା । ଏନେଇ ତାଙ୍କୁ ଅନେକ ଥର ପଚରାଉଚରା ମଧ୍ୟ କରିଥିଲା । ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକର ନାମ ନଆସିବାରୁ ତାଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ଦ୍ୱିତୀୟ ରେଫେରୀ ଜଗବୀର ମଲ୍ଲିକଙ୍କ ବିରୋଧରେ ବ୍ରିଜଭୂଷଣଙ୍କ ବିରୋଧରେ ଚାଲିଥିବା ଧାରଣାରେ ସାମିଲ ହେବା ଓ ବ୍ରିଜଭୂଷଣଙ୍କ ବିରୋଧରେ ବୟାନ ଦେବା ଅଭିଯୋଗ ରହିଛି । ଏହାସହ ସେ କିଛିଦିନ ପୂର୍ବରୁ ଜଣେ କୁସ୍ତିଯୋଦ୍ଧାଙ୍କ ସହ ଗଣ୍ଡଗୋଳ କରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ସେହିଭଳି କାରଗିଜସ୍ତାନ ଗସ୍ତରୁ ବାଦ ପଡିଥିବା କୋଚ୍ ରାଜୀବ ତୋମରଙ୍କ ବିରୋଧରେ ଅଭିଯୋଗ ରହିଛି କି ସେ ଟୋକିଓ ଅଲିମ୍ପିକ୍ସରେ ବେଆଇନ ଭାବେ ସାମିଲ ହୋଇଥିଲେ ।