ଅଘୋଷିତ ବିଜୁଳି କାଟକୁ ନେଇ ବିଜେପିର ଦୁଇ ଦିନିଆ ପ୍ରତିବାଦ । ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କର୍ମକର୍ତ୍ତା ।

119

କନକ ବ୍ୟୁରୋ : ବାରମ୍ବାର ବିଜୁଳି କାଟ ପ୍ରତିବାଦରେ ଆଜି ଓ ଆସନ୍ତାକାଲି ବିଜେପିର ପ୍ରତିବାଦ । ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମକର୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହାତରେ ବିଂଚଣା ଧରି ଦଳୀୟ କର୍ମୀ ପ୍ରତିବାଦ କରିଛନ୍ତି ।

ଆଉ କେତେ ଘଂଟା ବିଦ୍ୟୁତ୍ କାଟ କଷ୍ଟ ସହିବାକୁ ହେବ, ଶ୍ୱେତପତ୍ର ଜରିଆରେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେପି । ଗ୍ରାମାଂଚଳରେ ଦିନକୁ ୪ରୁ ୫ ଘଂଟା ଓ ସହରରେ ଦିନକୁ ଦିନକୁ ୨୦ରୁ ୨୫ ଥର ଅଘୋଷିତ ବିଦ୍ୟୁତ କାଟ୍ ହେଉଥିବା ଦଳ ଅଭିଯୋଗ କରିଛି ।

ସେହିଭଳି ରାଜ୍ୟରେ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ କରିବ କଂଗ୍ରେସ । ଆସନ୍ତା ୧୯ ତାରିଖରେ ଗ୍ରୀଡକୋ କାର୍ଯ୍ୟାଳୟ ଘେରାଉ କରିବା ସହ ପରେ ସବୁ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ବିଦ୍ୟୁତ କାଟକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଲୋକଙ୍କୁ ହଇରାଣ କରିବା ପାଇଁ ଦୁଇ ଦଳ ମଧ୍ୟ ପ୍ରତିଯୋଗିତା ଲାଗିଛି । ବିଜେଡି ଗ୍ୟାସ କଥାକୁ ନେଇ ଓ ବିଜେପି ବିଦ୍ୟୁତ କଥା କହି ରାଜ୍ୟବାସୀଙ୍କ ସହ ଖେଳୁଥିବା କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟରେ ବିଦ୍ୟୁତ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦ହଜାର କୋଟି ଆସିଥିଲା । ସେଥିରୁ ରାଜ୍ୟ ସରକାର ୧୩ହଜାର କୋଟି ଓ କେନ୍ଦ୍ର ସରକାର ୭ହଜାର କୋଟି ଟଙ୍କା ଦେଇଥିଲେ । କିନ୍ତୁ ସେଥିରୁ ଟାଟାକୁ ମାତ୍ର ୫ କୋଟି ଟଙ୍କା ଦିଆଯାଇଥିଲା ବେଳେ ବାକି ୧୫ହଜାର ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଗ୍ରାମାଂଚଳରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ତେଣୁ ସ୍ଥିତିରେ ଶୀଘ୍ର ସୁଧାର ଆସିବା ଦରକାର ବୋଲି କଂଗ୍ରେସ ଦାବି କରିଛି । ଆଉ ୧୯ ତାରିଖରେ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ କହିଛି ।