ଲଣ୍ଡନରୁ ଆସିଲା ଦୁଃଖଦ ଖବର, ଭାରତୀୟ ଛାତ୍ରୀଙ୍କୁ ଛୁରୀମାରି ହତ୍ୟାକଲା ବ୍ରାଜିଲ ନାଗରିକ

1,598

କନକ ବ୍ୟୁରୋ : ଲଣ୍ଡନର ବେମ୍ବଲୀ ଠାରେ ରହି ପାଠ ପଢୁଥିବା ହାଇଦ୍ରାବାଦର ଜଣେ ଛାତ୍ରୀଙ୍କୁ ଛୁରୀମାରି ହତ୍ୟା କରାଯାଇଛି । ଲଣ୍ଡନରେ ରହି ପାଠ ପଢୁଥିବା ହାଇଦ୍ରାବାଦର ଛାତ୍ରୀ କୌତମ ତେଜସ୍ୱନୀଙ୍କୁ ବ୍ରାଜିଲର ଜଣେ ନାଗରିକ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଘଟଣା ସ୍ଥଳରେ ତେଜସ୍ୱନୀଙ୍କର ମୃତ୍ୟୁ ହୋଇଛି । ମେଟ୍ରୋପଲିଟନ ପୋଲିସ ମୁତାବକ ଏହି ଆକ୍ରମଣରେ ଅନ୍ୟଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ବେମ୍ବଲିର ନିଲ୍ଡ କ୍ରିସେଣ୍ଟ ଅଞ୍ଚଳରେ ଘଟିଛି ।

ହାଇଦ୍ରାବାଦରେ ରହୁଥିବା ତେଜସ୍ୱନୀଙ୍କର ଜଣେ ସଂପର୍କୀୟ ଭାଇ ବିଜୟଙ୍କ କହିବା ମୁତାବକ ଅଭିଯୁକ୍ତ ଜଣଙ୍କ ବ୍ରାଜିଲର ନାଗରିକ । ଗୋଟିଏ ସପ୍ତାହ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ସେଠାକୁ ରହିବାକୁ ଆସିଥିଲା । ସେଠାରେ ତେଜସ୍ୱନୀ ମଧ୍ୟ ତାଙ୍କ ବନ୍ଧୁଙ୍କ ସହ ରହୁଥିଲେ । କୁହାଯାଉଛି କି ତେଜସ୍ୱନୀ ମାଷ୍ଟର ଡିଗ୍ରୀ ପାଇଁ ଗତବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ ଯାଇଥିଲେ ।

ସେପଟେ ମେଟ୍ରୋପଲିଟନ ପୋଲିସର କହିବା ମୁତାବକ ତେଜସ୍ୱନୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରଷଙ୍କୁ ଗିରଫ କରାଯାଇଛି । ପୁରଷ ଜଣଙ୍କ ଏବେ ପୋଲିସ ହେପାଜତରେ ଥିବା ବେଳେ ମହିଳା ଜଣଙ୍କୁ ପୋଲିସ ଛାଡି ଦେଇଛି ।