ଗାଁରେ ନାହିଁ ନଳକୂଅ, ଆକାଶରୁ ବର୍ଷୁଛି ନିଆଁ । ଚୁଆ ଖୋଳି ପାଣି ପିଉଛନ୍ତି ଲୋକ । ସେପଟେ କଷ୍ଟ ଆଣୁଛି ଅଘୋଷିତ ବିଦ୍ୟୁତ କାଟ ।

90

କନକ ବ୍ୟୁରୋ: ଗାଁରେ ନାହିଁ ନଳକୂଅ, ଆକାଶରୁ ବର୍ଷୁଛି ନିଆଁ । ଏତିକିବେଳେ ଅନୁଗୁଳର ଅନୁନ୍ନତ ଅଞ୍ଚଳରେ ପିଇବା ପାଣି ପାଇଁ ଚୁଆ ପାଲଟିଛି ଭରଷା । ସେପଟେ କଷ୍ଟ ଆଣୁଛି ଅଘୋଷିତ ବିଦ୍ୟୁତ କାଟ ।

  • ନଳକୂଅ ନାହଁ, ଆକାଶରୁ ନିଆଁ ବର୍ଷୁଛି
  • ଚୁଆ ଖୋଳି ପାଣି ପିଉଛନ୍ତି ଲୋକ 

ସାଙ୍ଗରେ ପିଲା ଛୁଆଙ୍କୁ ଧରି ଗାଁ ମହିଳାଙ୍କ ମାର୍ଚ୍ଚ । ଖରାଦିନ ହେଲେ ଗାଁର ମହିଳା ମାନଙ୍କ ଜଳକଷ୍ଟ ବଢିଯାଏ । ପିଇବା ପାଣି ସଂଗ୍ରହ ପାଇଁ ଏମିତି ଧାଡିବାନ୍ଧି ଗାଁ ମୁଣ୍ଡରେ ଥିବା ଚୁଆକୁ ଯାଆନ୍ତି । ଦିନଯାକର ଆବଶ୍ୟକତା ପାଇଁ କୁଣ୍ଡରେ ଭରି ପାଣି ଆଣନ୍ତି । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ଆଦିବାସୀ ଗାଁ ତଳମୁଣ୍ଡର ଏମିତି କିଛି ଚିତ୍ର ଖରାଦିନରେ ଅନୁନ୍ନତ ଅଞ୍ଚଳର ଦୂରବସ୍ଥାକୁ ହିଁ ଦର୍ଶାଉଛି ।

ସେହିପରି ଖରାଦିନେ ପାଣିକଷ୍ଟ ପରେ ସାମ୍ନାକୁ ଆସିଛି ବିଜୁଳି କାଟ୍ ଜନିତ ଯନ୍ତ୍ରଣାର ଚିତ୍ର । ଆକାଶରୁ ନିଆଁ ବର୍ଷା ହେଉଥିବାବେଳେ ବାରମ୍ବାର ଅଘୋଷିତ ବିଜୁଳିକାଟ୍ ଗାଁ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ବାଲେଶ୍ୱର ସୋରରୁ ଆସିଥିବା ଖବର ହିଁ, ବୟାନ କରୁଛି କିଭଳି ଲୋକଙ୍କ ପାଇଁ ଅଧିକ କଷ୍ଟକର ପାଲଟିଯାଇଛି ହିଟ ୱେଭ ସ୍ଥିତି । ପଙ୍ଖା ବୁଲୁନଥିବାବେଳେ ଦେହରୁ ଝାଳ ବହିବା ଥମୁନାହିଁ । ଆଉ ତାହାରିରେ ପିଲାଙ୍କ ପାଠପଢା ଡିବି ଆଲୁଅରେ ଚାଲିଛି ।

ଅନ୍ୟପଟେ ସକାଳ ଟାଣ ଖରା ଚାଷବାସକୁ ବି ପ୍ରଭାବିତ କରିଛି । ଖରା ଗରମ ଯୋଗୁଁ ବିଲରେ ପଚିସଢି ଯାଉଛି ପାଚିଲା ଟମାଟୋ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଟମାଟୋ ଏବେ ନଷ୍ଟ ହୋଇଯାଇଛି । କିଛି ଟମାଟୋ ଗଛରୁ ଝଡି ପଡୁଥିବା ବେଳେ ତୋଳା ହୋଇଥିବା ଟମାଟୋ ମଧ୍ୟ ସଢି ଯାଉଛି । ଖରା ଯୋଗୁଁ ଗଛଗୁଡିକ ପୋଡି ଯାଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁର ଟମାଟୋ ଚାଷୀ ଖରା ଯୋଗୁଁ ଏଭଳି ଭାବେ ପ୍ରଭାବିତ ହୋଇଛନ୍ତି  ।

ତେବେ ଦିନ ବଢିବା ସହ ରାସ୍ତାରେ ଦେଖିବାକୁ ମିଳୁଛି ଅଘୋଷିତ କର୍ଫ୍ୟୁ । ପ୍ରବଳ ଖରା ତାତିକୁ ଦେଖି ଲୋକେ ପଦାକୁ ବାହାରିବାକୁ ଡରୁଛନ୍ତି । ଶୋଷ ମେଣ୍ଟାଇବାକୁ ଥଣ୍ଡା ପାଣି ଭରସା ହୋଇଥିବାବେଳେ ଆଖୁରସ କିମ୍ବା ତରଭୁଜ ଦୋକାନରେ ଭିଡ ଲାଗୁଛି । ମୁଣ୍ଡଫଟା ଖରା ଶ୍ରମିକଙ୍କ ପେଟ ପାଟଣା ଉପରେ ପ୍ରଭାବ ପକାଇଛି । ତାତିରେ ଆଉଟୁ ପାଉଟୁ ହେଉଥିବା ଲୋକ ତ୍ରାହି ତ୍ରାହି ଡାକୁଛନ୍ତି ।