ଯାତ୍ରା ଦେଖିବାକୁ ଯାଇଥିଲେ ପୂରା ପରିବାର, ରାତିରେ କଳାକନା ବୁଲାଇ ଦେଲେ ଲୁଟେରା

671

କନକ ବ୍ୟୁରୋ: ଘରୁ ସମସ୍ତେ ଏକକାଳିନ ବାହାରକୁ ଯାଉଥିଲେ ସାବଧାନ । କେତେବେଳେ ଆପଣଙ୍କ ଘରେ କଳାକନା ବୁଲାଇ ପାରନ୍ତି ଲୁଟେରା । କାରଣ ଏବେ କେନ୍ଦୁଝର ଜିଲ୍ଲାର ନନ୍ଦିପଡା ଥାନା ଅନ୍ତର୍ଗତ ଏକ ଗାଁରେ ସେମିତି ଏକ ଲୁଟ ହୋଇଛି । ଗାଁ ପାଖରେ ଅପେରା ପଡିଛି । ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ସଦସ୍ୟ । ଯାତ୍ରା ଦେଖି ଘରକୁ ଫେରିଲା ବେଳେକୁ ଘରର କବାଟ ତାଡି ଦେଇଛନ୍ତି ଲୁଟେରା । ଘର ଭିତରେ ପସି ଆଲମାରି ଭିତରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୩ ଲକ୍ଷ ଟଙ୍କା । ତେବେ ଖବର ଅନୁସାରେ, ନନ୍ଦିପଡା ଥାନା ଅନ୍ତର୍ଗତ ତାମ୍ପଳା ଗାଁର ନାରାୟଣ ମହାପାତ୍ରଙ୍କ ପରିବାର ଲୋକ ଯାତ୍ରା ଦେଖିବାକୁ ଯାଇଥିଲେ । ରାତି ପ୍ରାୟ ୧୨ଟା ବେଳେ ଘରେ ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ଲୋକେ । ଯାତ୍ରା ଦେଖି ରାତି ୨ ବେଳକୁ ଘରକୁ ଫେରି ଆସିଥିଲେ । ଘରକୁ ଫେରି ସେମାନେ ଦେଖିଥିଲେ, ଘର କବାଟର ତାଲା ଭଙ୍ଗା ଯାଇଛି । କବାଟ ଖୋଲା ରହିଥିବା ବେଳେ ଘର ଭିତରେ ଥିବା ୨ଟି ଆଲମାରିରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ଗହଣା ଲୁଟି ନେଇଛନ୍ତି ଲୁଟେରା । ପରିବାର ଲୋକେ ସଙ୍ଗେ ସଙ୍ଗେ ଏନେଇ ନନ୍ଦିପଡା ଥାନାକୁ ଜଣାଇଥିଲେ । ପୁଲିସ ରାତି ପ୍ରାୟ ୪ଟା ବେଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସଂପର୍କରେ କୌଣସି ସୁରାଗ ମିଳିନାହିଁ ।