ବିବାଦ ଭିତରେ କୋଟିଆରେ ଆଧିପତ୍ୟ ଜାହିର କଲା ଆନ୍ଧ୍ର: ଫଗୁର-ସିନେରି ଓ ଫାଟୁ-ସିନେରିରେ ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନାର ଆରମ୍ଭ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

170

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତେଜିଲା ବିବାଦ । କୋଟିଆର ଫଗୁର ସିନେରି ଓ ଫାଟୁ ସିନେରିରେ ଲୋକଙ୍କୁ ଭେଟି ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରା । ଆନ୍ଧ୍ର ସରକାରଙ୍କ ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନାକୁ ଆରମ୍ଭ କରିଛନ୍ତି । ଆନ୍ଧ୍ର ତରଫରୁ କଣ ସବୁ ଯୋଜନା ଲୋକଙ୍କୁ ମିଳୁଛି ତାକୁ ପରଖିଛନ୍ତି । ଆଉ କଣ ସୁବିଧା ଯୋଗାଇ ଦେଇ ହେବ ତାହା ବୁଝିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଆନ୍ଧ୍ର ମନ୍ତ୍ରୀ ଆସିବା ଆଗରୁ ଫଗୁଣ ସିନେରି ଓ ଫାଟୁସିନେରିକୁ ସଂଯୋଗ କରୁଥିବା ରାସ୍ତାକୁ ଖୋଳି ଦିଆଯାଇଛି । ରାସ୍ତାକୁ ଖୋଳି ଉଭୟ ପଟେ ମାଟି ପକାଇ ଅବରୋଧ କରାଯାଇଛି । ରାତିରେ ରାସ୍ତାକୁ ଖୋଳି ଦିଆଯାଇଥିବା ବେଳେ ସକାଳୁ ପୋତି ଦିଆଯାଇଛି । ତେବେ ରାସ୍ତକୁ କିଏ ଖୋଳିଲା ଓ କିଏ ପୋତିଲା ତାହା କାହାରିକୁ ଜଣାନାହିଁ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଓଡିଶା ପକ୍ଷରୁ ରାସ୍ତା ପୋତା ଯାଇଛି । ରାସ୍ତା ଖୋଳା-ପୋତା ଭିତରେ ଓଡିଶା ପ୍ରଶାସନିକ ଅଧିକାରୀ କି ନେତା କେହି କୋଟିଆରେ ପହଂଚି ପାରିଲେ ନାହିଁ କିନ୍ତୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତ କାର୍ଯ୍ୟକ୍ରମ ସାରି ଫେରିଯାଇଛନ୍ତି । ଏହି ଅବସରରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରା କହିଛନ୍ତି ଉଭୟ ରାଜ୍ୟ ମିଳିମିଶି କୋଟିଆର ବିକାଶ କରିବା ଦରକାର ।

ବନ୍ଧୁ ଭାବେ କୋଟିଆ ବିବାଦ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । କୋଟିଆ ଗ୍ରାମପୁଂଜରେ ଆନ୍ଧ୍ର ସରକାରଙ୍କ ସବୁ ଯୋଜନା କିପରି ଲୋକଙ୍କ ପାଖରେ ପହଚିଂବ ତାକୁ ସେମାନେ ଧ୍ୟନ ଦେଉଛନ୍ତି । ଆନ୍ଧ୍ର ସରକାର ଓଡ଼ିଶା ମୁଖ୍ୟମନ୍ତ୍ରୀ ବହୁତ ପସନ୍ଦ କରନ୍ତି । କୋଟିଆ ବିବାଦକୁ ନେଇ ଆନ୍ଧ୍ର କେବେ ଝଗଡ଼ା ଚାହୁଁନାହିଁ । ବଂର ଓଡିଶା ସହ ବନ୍ଧୁ ହୋଇ ରହିବାକୁ ଚାହେଁ । ଏହାରି ଭିତରେ ବିଭିନ୍ନ ଯୋଜନା ବାବଦରେ କହି କୋଟିଆର ନିରିହ ଲୋକଙ୍କୁ ନିଜର କରିବା ପାଇଁ ଚାହିଁଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରା । କହିଛନ୍ତି, ଅଧିକାଂଶ ଲୋକଙ୍କୁ ଓଡ଼ିଶାର ଯୋଜନା ମିଳୁନାହିଁ । ଆମେ ପିଲାଙ୍କ ପାଠପଢ଼ା ପାଇଁ ପରିବାରକୁ ୧୫ ହଜାର ଟଙ୍କା ଦେଉଛି । ଆଗାମୀ ଦିନରେ ବାର୍ଦ୍ଧକ୍ୟ ଭତାକୁ ୩ ହଜାର ଟଙ୍କା କରାଯିବ । ସେପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ଥକୁ ନେଇ ପ୍ରତ୍ରୀକ୍ରୀୟା ରଖିଛନ୍ତି ଜୟପୁରର ଦୁଇ ଟାଣୁଆ ନେତା ରବି ନନ୍ଦ ଓ ତାରା ପ୍ରସାଦ ବାହିନୀପତି । ବିଜେଡି ନେତା ରବି ନନ୍ଦ କହିଛନ୍ତି, ସୁପ୍ରୀମକୋର୍ଟରେ ଓଡ଼ିଶା ପକ୍ଷରେ କୋଟିଆ ରହିଥିବାରୁ ଆନ୍ଧ୍ର ଏକକି କାମ କରୁଛି । ଅଗାମି ନିର୍ବାଚନକୁ ଆଖିରେ ଚୋର ଭଳି କୋଟିଆରେ ପଶୁଛନ୍ତି ଆନ୍ଧ୍ର ଅଧିକାରୀ ଓ ନେତା । ସେହିପରି ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି, ଆନ୍ଧ୍ର ଭାବୁଛି କୋଟିଆ ଟି ତାଙ୍କର ପୈତୃକ ସମ୍ପତି ।