ମାଟିରେ ମିଶିଲା ବିରାଟକାୟ ଅଟ୍ଟାଳିକା ଟ୍ୱିନ୍ ଟାୱାର, ଭୟାନକ ଶବ୍ଦ ସହ ଧୂଆଁମୟ ଆକାଶ

341

କନକ ବ୍ୟୁରୋ : ନୋଏଡା ସେକ୍ଟର ୯୩(ଏ)ରେ ଥିବା ବିଶାଳକାୟ ଟ୍ୱିନ୍ ଟାୱାରଙ୍କୁ ଧ୍ୱଂସ କରିଦିଆଯାଇଛି । ୩୭୦୦ କିଲୋଗ୍ରାମ ବିସ୍ଫୋଟକ ବ୍ୟବହାର କରି ଏହି ଟାୱାରକୁ ଧ୍ୱଂସ କରିଛି ନୋଏଡା ପ୍ରଶାସନ । କୁହାଯାଉଛି କି ଏହି ଟାୱାରକୁ ଧ୍ୱଂସ କରିବାକୁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅର୍ଥ ଟାୱାର ନିର୍ମାଣକାରୀ ସଂସ୍ଥା ସୁପରଟେକ୍ ଠାରୁ ଆଦାୟ କରାଯିବ ବୋଲି କୁହାଯାଇଛି । ଏହି ଦୁଇଟି ଟାୱାର ମଧ୍ୟରେ ୯୫୦ ଟି ଫ୍ଲାଟ ଥିବା ବେଳେ ଏହାକୁ ନିର୍ମାଣ କରିବାକୁ ସୁପରଟେକ୍ କମ୍ପାନୀ ୨୦୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

କିଛି ସୂଚନା ମୁତାବକ ଟ୍ୱିନ ଟାୱାର ଭଙ୍ଗାଯିବା ପରେ ସେଠାରେ ୫୫ ହଜାରରୁ ୮୦ ହଜାର ଟନ୍ ପର୍ଯ୍ୟନ୍ତ ଅଳିଆ ବାହାରିଛି । ଏହାକୁ ସ୍ଥାନାନ୍ତର କିରବାକୁ ପ୍ରଶାସନକୁ ସର୍ବନିମ୍ନ ୩ ମାସ ଲାଗିବ    । ଏହି ବିସ୍ଫୋରଣ ବେଳେ କଂକ୍ରିଟରୁ ଯେଉଁ ଧୂଳି ଉଡିଛି ତାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୁର୍ଷଣ ହୋଇଛି । ଏଥିରୁ ରକ୍ଷା ପାଇବାକୁ ନୋଇଡା ପ୍ରାଧିକରଣ ଦ୍ୱାରା ଅନେକ ବ୍ୟବସ୍ଥା କରାଯାଇଛି ।

ନୋଇଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ସେପଟେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।