ଆଦିବାସୀ ଗାଁରେ ଚାଲିଛି ସମାନ୍ତରାଳ ଶାସନ । କେନ୍ଦ୍ର କି ରାଜ୍ୟ, କାହାରି ନିୟମ ମାନିବାକୁ ନାରାଜ ଗ୍ରାମବାସୀ । ଫେରାଇ ଦେଲେ ଆଧାରକାର୍ଡ, ରାସନକାର୍ଡ ଓ ଭୋଟର ଆଇଡି କାର୍ଡ

320

କନକ ବ୍ୟୁରୋ: ଆଦିବାସୀ ବହୁଳ ଗାଁରେ ମାନୁନାହାଁନ୍ତି ସରକାରୀ ନିୟମ । ସରକାରଙ୍କୁ ବେଖାତିର କରି ସମାନ୍ତରାଳ ଭାବେ ନିଜର ଶାସନ ଚଳାଇଛନ୍ତି ଗାଁ ଆଦିବାସୀ । ଏଭଳି ଏକ ଚିନ୍ତାଜନକ ଖବର ଆସିଛି ସୁନ୍ଦରଗଡ ଜିଲ୍ଲାରୁ । ଏହାକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି ଜିଲ୍ଲା ପ୍ରଶାସନ ।

  • ଆଦିବାସୀଙ୍କ ସମାନ୍ତରାଳ ଶାସନ!
  • ନିଜ ଗାଁରେ ଚଳାଇଛନ୍ତି ନିଜ ଶାସନ

ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗାଁରୁ ଆସିଛି ଚିନ୍ତାଜନକ ଖବର । ଆଦିବାସୀ ବହୁଳ ଗାଁରେ ଚାଲିଛି ସମାନ୍ତରାଳ ସରକାର । ଆଦିବାସୀଙ୍କ କହିବା କଥା ସରକାର ନୁହେଁ, ଆଦିବାସୀମାନେ ହିଁ ଏ ଭୂଖଣ୍ଡର ମାଲିକ । ସରକାର, ସମ୍ବିଧାନ ତିଆରି ହେବା ଆଗରୁ ଏ ମାଟିର ମୂଳ ଅଧିବାସୀ ଆଦିବାସୀ ଅଛନ୍ତି । ସେମାନେ ହିଁ ପ୍ରକୃତ ଶାସକ ।

  • ମାନୁନାହାନ୍ତି ସରକାରଙ୍କ ନୀତି ନିୟମ
  • ଫେରାଇଲେ ସରକାରୀ ସୁବିଧା

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେନ୍ଦ୍ର ଓ ରାଜ୍ୟ ସରକାର ଥାଇ ବି ସମାନ୍ତରାଳ ଭାବେ ଆଉ ଏକ ସରକାର ଚଳାଇଛନ୍ତି । ନିୟମିତ ଭାବେ ବୈଠକ କରିବା ସହ ନିଜର ସ୍ୱତନ୍ତ୍ର ଆଇନ କାନୁନ୍ ତିଆରି କରିଥିବା ଜଣାପଡିଛି । ଏଥସହ ସରାକରୀ ଯୋଜନା କିମ୍ବା ସୁବିଧା ନେବେ ନାହିଁ ବୋଲି ରୋକଠୋକ୍ ମନାକରିଦେଉଛନ୍ତି । ଆଧାରକାର୍ଡ, ରାସନକାର୍ଡ, ଭୋଟର ଆଇଡିକାର୍ଡ , ସ୍ୱାସ୍ଥ୍ୟ ବୀମା କାର୍ଡକୁ ପ୍ରଶାସନକୁ ଫେରାଇ ଦେଇଛନ୍ତି । ଯାହା ବେଶ୍ ଚିନ୍ତାଜନକ ।

ଏଭଳି ଘଟଣା ପ୍ରଶାସନର ନଜରକୁ ଆସିଲା ପରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଆଉ ଏହି ଟିମ୍ ସେହି ଗାଁକୁ ଯାଇ ଆଦିବାସୀଙ୍କୁ କିଏ ଉସୁକାଉଛି ତାର ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଛନ୍ତି । ତେବେ ଲୋକମାନେ ଏଥିରୁ ନିବୃତ ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲପାଳ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ଅପହଞ୍ଚ ଇଲାକାରେ ରହୁଥିବା ଆଦିବାସୀଙ୍କ ଭିତରେ ଏହି ବିଷ ଭରିଲା କିଏ? ଯେଉଁ ସଂଗଠନ ଏଭଳି କାର୍ଯ୍ୟ ପାଇଁ ଆଦିବାସୀଙ୍କୁ ଉସୁକାଉଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି?