୪ ଦଶନ୍ଧି ପରେ ହାଇଦ୍ରାବାଦ ଦେଖିବ ରୋଚକ ନିର୍ବାଚନୀ ଲଢ଼େଇ । ୧୩ରେ ହେବ ମାଧବୀଲତା ବନାମ ଅସଦୁଦ୍ଦିନ ଅୱେସୀ ଟକ୍କର ।

443

କନକବ୍ୟୁରୋ: ହାଇଦ୍ରାବାଦ ହେଉଛି ଏଆଇଏମଏମ ମୁଖ୍ୟ ଅସଉଦ୍ଦିନ ଅୱେସିଙ୍କ ଗଡ଼ । ବିଜେପି ଏଠାରେ ତାର ଫାୟାରବ୍ରାଣ୍ଡ ନେତ୍ରୀ ମାଧବୀ ଲତାଙ୍କୁ ଛିଡା କରିଛି । ଅୱେସିଙ୍କ ଭଳି ସେ ମଧ୍ୟ ହାଇଦ୍ରାବାଦରର ପୁୁୁରୁଣା ବାସିନ୍ଦା । କିନ୍ତୁ ମୁସଲମାନବହୁଳ ହାଇଦ୍ରାବାଦରେ ଅୱେସିଙ୍କ ତାଙ୍କ ଗଡ଼ରେ ଟକ୍କର ଦେଇପାରିବେ କି ମାଧବୀ ଲତା? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ତେଲେଙ୍ଗାନାର ସମସ୍ତ ୧୭ଟି ଲୋକସଭା ଆସନ ପାଇଁ ମେ ୧୩ରେ ପଡିବ ଭୋଟ । ନିର୍ବାଚନ ହାଇଦ୍ରାବାଦ ପାଇଁ ବେଶ ରୋଚକ ହେବାକୁ ଯାଉଛି । ଦୀର୍ଘ ୪ଦଶନ୍ଧି ଧରି ଓୱେସୀ ପରିବାର ନିଜାମ ଗଡ଼କୁ କବଜା ରଖିଥିବାବେଳେ ଏଥର ମିଳିବ କଡ଼ା ଟକ୍କର । ହିନ୍ଦୁତ୍ୱକାର୍ଡ ଖେଳି ବିଜେପି ମାଧବୀ ଲତାଙ୍କୁ କରିଛି ପ୍ରାର୍ଥୀ । କୁହାଯାଉଛି ଓୱେସୀଙ୍କ କିଲ୍ଲାରେ ମାଧବୀଙ୍କ ଏଟ୍ରିଂ ବିଜେପି ପାଇଁ ବଡ ଚ୍ୟାଲେଂଜ ହୋଇପାରେ । କାରଣ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିବ କଠୋର ମୁସଲିମ ପ୍ରାର୍ଥୀ ବନାମ କଠୋର ହିନ୍ଦୁ ଚେହେରା ମଧ୍ୟରେ ଲଢ଼େଇ । ଆସନ୍ତୁ ଜାଣିବା କିଏ ଏହି ମାଧବୀ ଲତା । କାହିଁକି ତାଙ୍କ ଯୋଗୁଁ ହାଇଦ୍ରବାଦରେ ଆସନରେ ଏଆଇଏମଆଇଏମର ଖେଳ ବିଗଡିପାରେ?

ଅୱେସୀଙ୍କ ଗଡ଼ରେ ମାଧବୀଲତା
-ମାଧବୀ ଲତା ଜଣେ କଠୋର ହିନ୍ଦୁତ୍ୱ ଚେହେରା
-କର୍ଣ୍ଣାଟକରେ ଜନ୍ମିତ, ତେଲେଙ୍ଗାନାରେ ପାଠପଢ଼ା
-ପେସାରେ ଜଣେ ସମାଜସେବୀ, ନୃତ୍ୟଶିଳ୍ପୀ ଓ ବିିଭିନ୍ନ ସାଂସ୍କୃତିକ ସଂଗଠନ ସହ ଜଡିତ
-ବିଶେଷକରି ସ୍ୱାସ୍ଥ୍ୟ ଓ ଶିକ୍ଷାକ୍ଷେତ୍ରରେ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି
-ସୋସିଆଲ ମିଡିଆ ଇନପଂ୍ଲୁଏନସର
-ଗୋଶାଳା ଚଳାଇବା ସହ ବିଭିନ୍ନ ଶିକ୍ଷାନୁ୍୍ଷ୍ଠାନରେ ହିନ୍ଦୁତ୍ୱ ଉପରେ ଭାଷଣ ଦିଅନ୍ତି
-ମାଧବୀ କୌଣସି ରାଜନୀତି ପରିବାରରୁ ଆସିନାହାଁନ୍ତି
-ତିନି ତଲାକ ପ୍ରସଙ୍ଗରେ ତାଙ୍କ ଭୂମିକା ବେଶ ଚର୍ଚ୍ଚା ସାଉଁଟିଥିଲା
-ମୁସଲିମ ମହିଳାଙ୍କ ଅଧିକାର ଲଢ଼େଇରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ

ଅନ୍ୟପଟେ ମାଧବୀ ଯାହାଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ସେ ହାଇଦ୍ରବାଦର ଜଣେ ଟାଣୁଆ ନେତା ଅସଉଦ୍ଧିନ ଅୱେସୀ । ଯିଏକି ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ଅୱେସୀ ବନାମ ମାଧବୀଲତା
-ଏଆଇଏମଆଇଏମ ମୁଖ୍ୟ ଅୱେସୀ ଜଣେ କଠୋର ମୁସଲିମ ଚେହେରା
-ହିନ୍ଦୁ ବିରୋଧୀ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅସଦୁଦ୍ଦିନ
-ଅୱେସୀ ପରିବାରର ମୁଖ୍ୟ ଚେହେରା ହେଉଛନ୍ତି ଅସଦୁଦ୍ଦିନ
-୧୯୮୪ରୁ ଏଆଇଏମଆଇଏମ ହାଇଦ୍ରାବାଦ ଲୋକସଭା ଆସନରୁ ଜିତି ଆସୁଛି
-ଅୱେସୀଙ୍କ ବାପା ସୁଲତାନ ସଲାଉଦ୍ଦିନ ଏହି ଆସନରେ ୬ଥର ଜିତିଥିଲେ
-ଏହା ପରଠୁ ଅସଦୁଦ୍ଦିନ ଅୱେସୀ ୪ଥର ଏକତରଫା ଜିତୁଛନ୍ତି
-କେସିଆର ସରକାରରେ ଅୱେସୀଙ୍କ ଭାଇ ମନ୍ତ୍ରୀ ରହିଥିଲେ

ହାଇଦ୍ରାବାଦର ଗୋଟିଏ କଥା ହେଉଛି ଏଠାକାର ମୁସଲିମ ଭୋଟର ହିଁ ସର୍ବେସବା । ଇତିହାସ କହୁଛି କେବଳ ୮ ପ୍ରତିଶତ ମୁସଲିମ ଭୋଟର ହିଁ ବିଜେପିକୁ ଭୋଟ ଦେବା ରେକର୍ଡ ରହିଛି । ଏପରିକି ୭ଟି ବିଧାନସଭା ଆସନରୁ ୬ରେ ଏଆଇଏମଆଇଏମର କବଜା । ପ୍ରଶ୍ନ ଉଠୁଛି ମାଧବୀ ଲତା ଜଣେ ହିନ୍ଦୁ ଚେହେରା ତେଣୁ କିଭଳି ମୁସଲିମ ବହୁଳ ଆସନରେ ଭୋଟରଙ୍କୁ ଆକୃଷ୍ଟ କରିବେ ଓ ନିର୍ବାଚନ ଜିତିବେ ।
୨୦୧୯ରେ ଭାଗବତ ରାଓଙ୍କୁ ଟିକେଟ ଦେଇ ନିରାଶ ହୋଇଥିଲା ବିଜେପି । ଗତଥର ନିର୍ବାଚନରେ ଓୱେସୀଙ୍କୁ ୫ଲକ୍ଷ ୧୭ହଜାର ୪୭୧ ଭୋଟ ମିଳିଥିଲା । ରାଓଙ୍କ ଖାତାକୁ ଆସିଥିଲା ୨ଲକ୍ଷ ୩୫ହଜାର ୨୮୫ ଭୋଟ । ଯଦି ଅନ୍ୟ ଦିଗ ଉପରେ ନଜର ପକାଇବା ତେବେ ୧୦ବର୍ଷ ମଧ୍ୟରେ ହାଇଦ୍ରବାଦରେ ବିଜେପିର ଭୋଟ ସଂଖ୍ୟା ବଢ଼ିଛି । ୨୦୧୪ ଲୋକସଭା ନିର୍ବାଚନରେ ୭ ପ୍ରତିଶତ, ୨୦୧୩ ବିଧାନସଭା ନିର୍ବାଚନେ ୧୫ ପ୍ରତିଶତ ଭୋଟ ପାଇଥିଲା । ଶେଷ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ୮ଟି ଆସନ କବଜା କରିଥିଲା । ଆଗକୁ ହାଇଦ୍ରାବାଦ ଲଢ଼େଇ କିଭଳି ରହୁଛି ତା ଉପରେ ସମସ୍ତଙ୍କ ନଜର ଅଟକିଛି ।