ଦିନକ ପରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପଡିବ ଭୋଟ । ଏହି ସବୁ ବଡ଼ ବଡ଼ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

487

କନକ ବ୍ୟୁରୋ: ସୋମବାର ଦିନ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ର ସହ ୨୮ ବିଧାନସଭା ପାଇଁ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନୀତିରେ ବେଶ ପ୍ରଭାବ ପକାଇବ ।

ବଡ ନେତାଙ୍କ ଭାଗ୍ୟ ପରୀକ୍ଷା

ପ୍ରଦୀପ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ତାରା ବାହିନୀପତି, ଭକ୍ତ ଦାସ, ଶରତ ପଟ୍ଟନାୟକ. ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଭଳି ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ସୋମବାର ।

ବ୍ରହ୍ମପୁର

ବ୍ରହ୍ମପୁର ଲୋକସଭା ଆସନରେ ବଡ ଲଢେଇ ଦେଖିବାକୁ ମିଳିବ । ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ଆରପାର ଲଢେଇ ହେଉଛି । କାରଣ ଉଭୟଙ୍କ ପାଇଁ ମୋଦୀ- ନବୀନ ମୈଦାନକୁ ଓହ୍ଲାଇ ପ୍ରଚାର କରିଥିଲେ । ଏହି ଆସନ ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

ନବରଙ୍ଗପୁର

ଏହି ସଂସଦୀୟ କ୍ଷେତ୍ରରେ ୩ ମାଝୀ ଯଥା ପ୍ରଦୀପ ମାଝୀ, ବଳଭଦ୍ର ମାଝୀ ଓ ଭୁଜବଳ ମାଝୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ମାଝିଙ୍କ ପାଇଁ ୨୪ ନିର୍ବାଚନ ସମ୍ମାନର ପ୍ରଶ୍ନ ପାଲଟିଛି । ସେପଟେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପୁରା ଦମ ଲଗାଇଛନ୍ତି ।

ନୂଆପଡ଼ା

ନୂଆପଡାରେ ଏଥର ତ୍ରିମୁଖୀ ଲଢେଇ ହେଉଛି । ମୁହାଁମୁହିଁ ହୋଇଛନ୍ତି କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଦୁଇ ନେତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ।

ନର୍ଲା

ନର୍ଲାରେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ । ତାଙ୍କୁ କାଉଣ୍ଟର ଦେବାକୁ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ।

ଜୟପୁର

ଏଠାରେ ତାରାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ତାଙ୍କୁ କାଉଣ୍ଟର କରୁଛନ୍ତି ବିଜେଡିର ଟାଣୁଆ ନେତା ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ।

ଜୁନାଗଡ

ଏଠାରେ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ଅଛନ୍ତି ଦିବ୍ୟଶଙ୍କର ମିଶ୍ର ।

ଦିଗପହଣ୍ଡି

ଦିଗପହଣ୍ଡିରେ ମଧ୍ୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ଭାଗ୍ୟ ପରୀକ୍ଷାରେ କିଏ ପାସ କରୁଛି, ତାହା ଜୁନ ୪ ତାରିଖରେ ଜଣାପଡିବ

କୋରାପୁଟ

କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କ ପାଇଁ ୨୪ ନିର୍ବାଚନ ହେଉଛି ଏସିଡ୍ ଟେଷ୍ଟ । କାରଣ କୋରାପୁଟରେ ବଦଳିଛି ରାଜନୈତିକ ପାଣିପାଗ । ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କୌଶଲ୍ୟା ହିକକା ।

ବ୍ରହ୍ମପୁର

ବ୍ରହ୍ମପୁରରେ ମଧ୍ୟ ରୋଚକ ଲଢେଇ ହେଉଛି । ୮୦ ବର୍ଷ ପରେ ବି ମଇଦାନରେ ଲଢୁଛନ୍ତି ରମେଶ ଚ୍ୟାଉ ପଟ୍ଟନାୟକ । ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ସେହିପରି ପାରଳାଖେମୁଣ୍ଡିରେ ରୋଚକ ଲଢେଇ ଦେଖିବାକୁ ମିଳିଛି । ଅଫିସରରୁ ନେତା ବନିଥିବା କଂଗ୍ରେସର ବିଜୟ ପଟ୍ଟନାୟକ ଏଠାରେ ଲଢୁଛନ୍ତି । ଏହି ସବୁ ପ୍ରମୁଖ ଚେହେରା ରାଜ୍ୟ ରାଜନୀତିରେ ପତିଆରା ରଖିଆସିଛନ୍ତି । ଜିତିଲେ ବାଜିଗର, ହାରିଲେ ପ୍ରଭାବିତ ହେବ ଏମାନଙ୍କ ରାଜନୈତିକ କ୍ୟାରୟର । ତେଣୁ ୨୪ ନିର୍ବାଚନ ଏହି ନେତାଙ୍କ ପାଇଁ ପାଲଟିଛି ବଡ଼ ପରୀକ୍ଷା ।

ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ବିଜେଡି ହାତେଇଥିବା ବେଳେ କୋରାପୁଟ କଂଗ୍ରେସ, କଳାହାଣ୍ଡି ବିଜେପି କବଜା କରିଥିଲା । ଏହା ଅଧିନରେ ଥିବା ୨୮ ବିଧାନସଭା ଆସନରରୁ ୨୧ରେ ବିଜେଡି ଜିିତିଥିବା ବେଳେ ୪ଟି ବିଜେପି, ୨ଟି କଂଗ୍ରେସ ଏବଂ ରାୟଗଡ଼ାରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଥିଲେ ।