ମୋଦୀଙ୍କ ପ୍ରଚାର ପରେ ମୁକାବିଲା ପାଇଁ ବିଜେଡି ତୟାର । ଆସନ୍ତାକାଲି ବରଗଡ଼ ଓ ବଲାଙ୍ଗୀରରେ ନବୀନଙ୍କ ମାରାଥନ ପ୍ରଚାର

349

କନକ ବ୍ୟୁରୋ: ୨୦୧୯ର ଫଳାଫଳ ପଶ୍ଚିମ ଓଡିଶାରେ ବଜାୟ ରଖିବା ପାଇଁ ଧୁଆଁଧାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ବଡ ବଡ ଜନସଭା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମୋଦୀ । ଗୋଟିଏ ଦିନରେ କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ଶକ୍ତି ପ୍ରଦର୍ଶନ କରି ସରକାରଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ମୋଦୀ ।

  • ଶନିବାରରେ ମୋଦୀଙ୍କ ସୁପର ସୋ
  • ରବିବାର ଦମ୍ ଦେଖାଇବେ ନବୀନ

ଗତ ନିର୍ବାଚନରେ ୫ଟି ଲୋକସଭା ସିଟ୍ ହାତେଇଥିଲା ବିଜେପି । ବିଧାନସଭାରେ ଭଲ ପ୍ରଦର୍ଶନ କରିଥିଲେ ବି ଲୋକସଭାରେ ଏତେ ଭଲ କରିପାରିନଥିଲା ଶାସକଦଳ । ତେଣୁ ଏଥର ଉଭୟ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ପାଇଁ ପୁରା ଦମ ଲଗାଇଛି ବିଜେଡି । ଆଉ ଏହାର ମଙ୍ଗ ନିଜେ ଧରିଛନ୍ତି ନବୀନ ।

ମୋଦୀଙ୍କ ପ୍ରଚାରକୁ କାଉଣ୍ଟର କରିବା ପାଇଁ ଆସନ୍ତାକାଲି ମୁକାବିଲାର ମଇଦାନକୁ ଓହ୍ଲାଇବେ ନବୀନ । ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରେ ପ୍ରଚାରର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ । ମିଳିଥିବା ସୂଚନା ଅନୁସାରେ କେବଳ ବଲାଙ୍ଗିରରେ ତିନୋଟି ସମାବେଶକୁ ସମ୍ବୋଧନ କରିବେ ନବୀନ । ପ୍ରଥମେ ସିନ୍ଦେକେଲା,ପରେ ମୁରିବାହାଲ, ତାପରେ ବଲାଙ୍ଗିରର କୋଶଳକଳା ମଣ୍ଡପରେ ଜନସମାବେଶ କରି ମୋଦୀଙ୍କୁ କାଉଣ୍ଟର କରିବେ । ଅପରାହ୍ଣ ୪ଟାରେ ବରଗଡକୁ ଯାଇ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାର ଦୁଇ ପ୍ରମୁଖ ଲୋକସଭା କ୍ଷେତ୍ରରେ ଦୁଇ ଦଳର ଶୀର୍ଷନେତା ମୁହାଁମୁହିଁ ହେଉଛନ୍ତି । ଆଉ ଏହାର ଫାଇଦା କାହାକୁ ମିଳୁଛି ତାହା ହିଁ ଉତ୍କଣ୍ଠାର ବିଷୟ ।

୨୦୧୯ର ଗଣିତ ଅନୁସାରେ ବରଗଡ ଓ ବଲାଙ୍ଗିରର ଲୋକସଭା ଆସନ ବିଜେପି କବଜାରେ ଥିବା ବେଳେ ବରଗଡର ସମସ୍ତ ବିଧାନସଭା ଆସନ ବିଜେଡି ହାତକୁ ଯାଇଥିଲା । ସେପଟେ ବଲାଙ୍ଗିରର ୭ଟି ବିଧାନସଭା ଆସନରୁ ୪ଟି ବିଜେଡି ଜିତିଥିବାବେଳେ କଂଗ୍ରେସ ହାତରେ ଦୁଇଟି ଆସନ ଓ ବିଜେପି ହାତରେ ଗୋଟିଏ ଆସନ ରହିଥିଲା ।