ଆଜିଠୁ ଆରମ୍ଭ ଫୁଟବଲ୍ ମହାକୁମ୍ଭ: ଷ୍ଟାଡିୟମ ତିଆରି ପଛରେ ରହିଛି ଓଡ଼ିଆ ଶ୍ରମିକଙ୍କ ଅବଦାନ

405

କନକ ବ୍ୟୁରୋ: ସାରା ବିଶ୍ୱର ଫୁଟବଲ୍ ଫ୍ୟାନ୍ସଙ୍କ ପାଇଁ ଆରମ୍ଭ ହୋଇଛି ବଡ ଉତ୍ସବ । ଫିଫା ଇତିହାସରେ ପ୍ରଥମ ଥର ମଧ୍ୟ ପ୍ରାଚ୍ୟରେ ଏହି ମହାଉତ୍ସବ ଅନୁଷ୍ଠିତ ହେଉଛି । ଫିଫା ବିଶ୍ୱକପର ଉଦ୍ଘାଟନ ଉତ୍ସବ ଅଲବେୟତ୍ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହି ଷ୍ଟାଡିୟମ୍ରେ ୬୦ ହଜାର ଲୋକ ବସିପାରିବାର ସୁବିଧା ରହିଛି । ଏହି ଷ୍ଟାଡିୟମକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି କରାଯାଇଛି ।

ଆପଣ ଜାଣି ଖୁସି ହେବେ ଏହି ଷ୍ଟାଡିୟମ ତିଆରି ପଛରେ ରହିିଛି ଓଡିଆଙ୍କ ହାତ । ଏହି ଷ୍ଟାଡିୟମ ତିଆରିରେ ନିୟୋଜିତ ଥିବା ଅଧିକାଂଶ ପ୍ଲମ୍ବର, ଟେକ୍ନିସିଆନ, ଇଲେକ୍ଟ୍ରିସିଆନ ହେଉଛନ୍ତି ଓଡିଆ, ଯାହାଙ୍କ ଅବଦାନ ଏହି ଷ୍ଟାଡିୟମ ନିର୍ମାଣରେ ସର୍ବାଧିକ ।

ଏହି ଫିଫା ବିଶ୍ୱକପ କେନ୍ଦ୍ରାପଡ଼ାର ଜିଲ୍ଲା ପାଇଁ ଆଣି ଦେଇଛି ଅନେକ ଖୁସି । କତାରର ଷ୍ଟାଡିୟମ ନିର୍ମାଣ ଓ ଅନ୍ୟ ଭିତିଭୂମି କାର୍ଯ୍ୟରେ ନିୟୋଜିତ ଥିଲେ କେନ୍ଦ୍ରାପଡ଼ାର ହଜାର ହଜାର ପ୍ଲମ୍ବର । ଆଉ ସେଠାରେ କାମ କରି ଭଲ ଦୁଇପଇସା ମଧ୍ୟ ରୋଜଗାର କରୁଛନ୍ତି ଜିଲ୍ଲାବାସୀ ।

ଜିଲ୍ଲାରୁ ପ୍ରାୟ ୨୫୦୦ ପ୍ଲମ୍ବର କତାର ଷ୍ଟାଡିୟମ ଓ ଅନ୍ୟ ଭିତିଭୂମି ନିର୍ମାଣରେ ନିୟୋଜିତ ଅଛନ୍ତି । ୨୦୧୦ରେ କତାରକୁ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ମିଳିଥିଲା । ଜିଲ୍ଲାର ୫୦୦ ପ୍ଲମ୍ବରଙ୍କର ଭିସା ଓ ଟ୍ରାଭେଲ୍ ସମ୍ବନ୍ଧିତ ଡକ୍ୟୁମେଂଟର ବ୍ୟବସ୍ଥା କରିଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଏକ ଟ୍ରାଭେଲ୍ସର ମ୍ୟାନେଜର ସମର ସାହୁ । ୪୦୦ ପ୍ଲମ୍ବର, ଫିଟର ଓ ଫୋରମ୍ୟାନଙ୍କୁ କେବଳ କତାର ଷ୍ଟାଡିୟମର ପରିମଳ କାମରେ ନିୟୋଜିତ କରାଯାଇଥିଲା । କେବଳ ପ୍ଲମ୍ବର ଓ ଫିଟର ନୁହଁନ୍ତି, ବରଂ ଜିଲ୍ଲାର କିଛି ଇଲେକ୍ଟ୍ରିସିଆନ୍ ମଧ୍ୟ ନବନିର୍ମିତ ଷ୍ଟାଡିୟମ ଏବଂ ଏହାର ଭିତିଭୂମି କାମରେ ଦିନରାତି ଏକ କରିଦେଇଥିଲେ ।

ଏହି ଷ୍ଟାଡିୟମରେ ଫିଫା ବିଶ୍ୱକପର ଆୟୋଜନ ଏମାନଙ୍କୁ ବହୁତ ଖୁସି ଦେଇଛି । ପୂର୍ବରୁ ଏହି ଶ୍ରମିକମାନେ ମୁମ୍ବାଇରେ ମାତ୍ର ୨୫ହଜାର ଟଙ୍କା ପାଉଥିଲେ ଏବେ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।