ପାକିସ୍ତାନକୁ ନେଇ ସେନାମୁଖ୍ୟ ବିପିନ୍ ରାୱତଙ୍କ ବଡ ବୟାନ । ପିଓକେ ଓ ଗିଲଗିଟ୍ ଅଞ୍ଚଳ ଭାରତର, ପାକିସ୍ତାନ ଏହାକୁ ଅବୈଧ ଭାବେ କବଜା କରିଛି ।

404

କନକ ବ୍ୟୁରୋ : ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ବଡ ବୟାନ । ପିଓକେ ଓ ଗିଲଗିଟ୍ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତର, ଯାହାକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଛନ୍ତି । ଯେତେବେଳେ ଆମେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ଭାବେ କହୁଛୁ ସେତେବେଳେ ଏଥିରେ ପିଓକେ ଓ ଗିଲଗିଟ୍ ବେଲୁଚିସ୍ତାନ ମଧ୍ୟ ସାମିଲ ରହିବା କଥା । କିନ୍ତୁ ଭାରତର ଏହି କ୍ଷେତ୍ରକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଥିବା ବେଳେ ଏହି ଅଞ୍ଚଳକୁ ଏବେ ଆତଙ୍କବାଦୀ ମାନେ ନିୟନ୍ତ୍ରଣ କରୁଛନ୍ତି । ପିଓକେ ବାସ୍ତବରେ ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ସେନାମୁଖ୍ୟ କହିଛନ୍ତି, ପୂରା ଜମ୍ମୁ-କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ଏବେ ସେନା ପ୍ରତି ପରିସ୍ଥିତିକୁ ସାମ୍ନାକୁ କରିବାକୁ ସକ୍ଷମ । ଏପରିକି ଏବେ ସେନା ପକ୍ଷରୁ ସ୍ପେଶାଲ ଅଫିସରଙ୍କୁ ଟ୍ରେନିଂ ଦିଆଯାଉଛି । ଏପରିକି ସେନାକୁ ବିଶ୍ୱର ସବୁଠୁ ଅତ୍ୟାଧୁନିକ ସ୍ନାଇପର ରାଇଫଲ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାୱତ ।

ସେହିଭଳି ଧାରା ୩୭୦ ଉଚ୍ଛେଦକୁ ନେଇ ବିପିନ୍ ରାୱତ କହିଛନ୍ତି, ଜମ୍ମୁ-କାଶ୍ମୀରର ବିକାଶ ପାଇଁ ଧାରା ୩୭୦ ଉଚ୍ଛେଦ କରିବା ଆବଶ୍ୟକ ଥିଲା । ଉପଯୁକ୍ତ ସମୟ ମିଳିବା ମାତ୍ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି । ତେବେ ଜମ୍ମୁ-କାଶ୍ମୀରରେ ମାହୋଲ ଖରାପ କରିବାକୁ ବାରମ୍ବାର ପ୍ରୟାସ କରାଯାଉଛି ।ଯେଉଁଥିପାଇଁ ବାରମ୍ବାର ସାଧାରଣ ଲୋକ, ଗାଡି ଚାଳକଙ୍କ ଉପରେ ଆକ୍ରମଣ କରାଯାଉଛି । କିନ୍ତୁ ସ୍ଥିତିରେ ଖୁବଶୀଘ୍ର ସୁଧାର ଆସିବ ବୋଲି କହିଛନ୍ତି ଜେନେରାଲ ବିପିନ୍ ରାୱତ ।