ଦିଲ୍ଲୀ ରାଜପଥରେ ପରାକ୍ରମ ଦେଖାଇଛି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍

31

ସାରାଦେଶ ଆଜି ଦେଖିଛି ତେଜସର ପରାକ୍ରମ । ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଆକାଶରେ ତେଜ ଦେଖାଇଛି ତେଜସ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହିତ ଦେଖିବାକୁ ମିଳିଥିଲା ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥର ଆକାଶରେ ତେଜ୍ ଦେଖାଇଲା ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍ । ସମସ୍ତଙ୍କ ନଜର ଥିଲା ଏହି ଯୁଦ୍ଧ ବିମାନ ଉପରେ । କାରଣ ପ୍ରଥମ ଥର ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଉଡାଣ କୌଶଳ ପ୍ରଦର୍ଶନ କରୁଥିଲା ତେଜସ୍ । ୩୦୦ମିଟର ଉଚ୍ଚରେ ୭୮୦କିଲୋମିଟର ପ୍ରତି ଘଂଟା ବେଗରେ ଗତି କରି ଜାତୀୟ ପତାକା ତ୍ରିରଙ୍ଗାକୁ ସେଲ୍ୟୁଟ୍ କରିଥିଲା ଏହି ଯୁଦ୍ଧ ବିମାନ ।

ଗୋଟିଏ ସିଟ୍ ଓ ଗୋଟିଏ ଜେଟ୍ ଇଂଜିନ ବିଶିଷ୍ଟ ଏହି ହାଲୁକା ଲଢୁଆ ବିମାନ ୫୦ହଜାର ଫୁଟ ଉଚ୍ଚରେ ଉଡି ଶତ୍ରୁ ପକ୍ଷକୁ ଧ୍ୱସଂ କରିବାର କ୍ଷମତା ରଖିଛି । ଆକାଶରେ ଉଡାଣ ସମୟରେ ମଧ୍ୟ ଆକାଶରେ ଥିବା ଶତ୍ରୁ ପକ୍ଷର ବିମାନ ଉପରେ ଆକ୍ରମଣ କରିବା ପାଇଁ ଏଥିରେ ଡର୍ବି ମିଜାଇଲ ଖଂଜା ଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡର୍ବି ମିଜାଇଲ ଦ୍ରୁତ ଗତିରେ ଉଡୁଥିବା ଶତ୍ରୁ ପକ୍ଷର ବିମାନକୁ ଚିହ୍ନଟ କରି ଧ୍ୱସଂ କରିବାର କ୍ଷମତା ରଖିଛି ।

ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରିବା ପାଇଁ ଏଥିରେ ଖଂଜା ଯାଇଛି ଲେଜର ଗାଇଡେଡ ବୋମା । ୧ହଜାର ୩ଶହ ୫୦ କିଲୋମିଟର ପ୍ରତି ଘଂଟା ବେଗରେ ୨ହଜାର ୩ଶହ କିଲୋମିଟର ଦୂରତା ଅତିକ୍ରମ କରିପାରିବ ତେଜସ୍ । ଏହାସହ ୩ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ଏହି ଯୁଦ୍ଧ ବିମାନର ।