ପୁଣ୍ୟଭୂମି ଶ୍ରୀକ୍ଷେତ୍ରରେ ୧୩ ବର୍ଷର ନାବାଳକକୁ ଯୌନ ଶୋଷଣ ଅଭିଯୋଗ : ସେବାୟତଙ୍କ ସହଯୋଗୀକୁ ଗିରଫ କଲା ପୋଲିସ

254

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମହାପାପ । ପୂଣ୍ୟଭୂମିରୁ ଆସିଛି ଯୌନଶୋଷଣର ଅଭିଯୋଗ । ଜଣେ ୧୩ ବର୍ଷର ନାବାଳକକୁ ମନ୍ଦିର ପରିସରରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ନାରକୀୟ କାଣ୍ଡ ଭିଆଇଥିବା ଅଭିଯୋଗରେ ଶ୍ରୀମନ୍ଦିରର ଜଣେ ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତାଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ସୁଦର୍ଶନ ମିଶ୍ର । ପୂଜାପଣ୍ଡା ନିଯୋଗ ପକ୍ଷରୁ ସଂସ୍କୃତି ଶିକ୍ଷା ଲାଭ କରୁଥିବା ପୀଡିତ ନାବାଳକ । ମନ୍ଦିର ପରିସରରେ ନାବାଳକକୁ ଏକଲା ପାଇ ସେବାୟତଙ୍କ ସହଯୋଗୀ ଏକ ନିର୍ଜନ ସ୍ଥାନକୁ ଟାଣିନେଇ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି ।

ଏପରିକି ପ୍ରାୟ ଦେଢ ମାସ ହେବ ଯାତ୍ରୀ ଗୁମାସ୍ତା ଜଣକ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଗତ ମଙ୍ଗଳବାର ଦିନ ୧ଟାରେ ନାବାଳକ ଜଣକ ନିଳାଦ୍ରୀ ବିହାର ମ୍ୟୁଜିୟମ ନିକଟରେ ଥିବା ବେଳେ ଯାତ୍ରୀ ଗୁମାସ୍ତା ପୁଣି ଯୌନ ଶୋଷଣ କରିଥିଲେ । ଲୋକଲଜ୍ଜା ଓ ଭୟରେ କାହାକୁ କିଛି କହୁନଥିବା ନାବାଳକ ସୀମା ଟପିଯିବା ପରେ ମଙ୍ଗଳବାର ସନ୍ଧ୍ୟାରେ ସିଂହଦ୍ୱାରା ଥାନାରେ ଏତଲା ଦେଇଥିଲେ । ପୁଲିସ ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତ ସୁଦର୍ଶନ ମିଶ୍ରଙ୍କୁ ଆଇପିସି ଧାରା ୩୭୭ ଓ ୫୧୧ ଧାରାରେ ମାମଲା ରୁଜୁ କରିବା ସହ ଗିରଫ କରିଛି । ଶ୍ରୀକ୍ଷେତ୍ରରେ ଯୌନ ନିର୍ଯାତନା ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ୨୦୨୧ ମସିହା ଡିସେମ୍ବର ୧୦ ତାରିଖରେ ଲକ୍ଷ୍ମୀମନ୍ଦିରର ସେବାୟତ ଲକ୍ଷ୍ମୀ ନାରାୟଣ ଖୁଂଟିଆଙ୍କୁ ବାନ୍ଧିଥିଲା ପୁରୀ ପୁଲିସ ।

ଜଣେ ୧୬ ବର୍ଷ ବୟସ୍କ ନାବାଳକକୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଲକ୍ଷ୍ମୀ ନାରାୟଣ ଖୁଂଟିଆଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ୨୦୨୧ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ବାମନ ମନ୍ଦିରର ପୂଜକ ସଂଗ୍ରାମ ଦାସ ଗିରଫ ହୋଇଥିଲେ । ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିବା ହାଇଦ୍ରାବାଦର ଜଣେ ନାବାଳିକାକୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଶ୍ରୀକ୍ଷେତ୍ର ଭଳି ତୀର୍ଥକ୍ଷେତ୍ରରେ ପୂଜକ ସେବାୟତମାନେ ଅସଦାଚରଣ, ବ୍ୟଭିଚାର ଭଳି ଘଟଣାରେ ସମ୍ପୃକ୍ତ ହେବା ଘଟଣା ତପୋଭୂମି ପୁରୀର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି ।