ବିଶାଖାପାଟଣାରେ ୧୦୭ ରନର ‘ବିରାଟ’ ବିଜୟ ପରେ ୧-୧ ସ୍ଥିତିରେ ଦିନିକିଆ ସିରିଜ୍ । ୨୨ରେ ବାରବାଟୀ ଦେଖିବ ବାଦଶାହା କିଏ…

394

କନକ ବ୍ୟୁରୋ: ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ୧୦୭ ରନ୍ ରେ କାରବିଆନ୍ ଦଳକୁ ପରାଜୟ କଲା ବିରାଟ ବାହିନୀ । ୩୮୭ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ୨୮୦ ରନରେ ଅଲଆଉଟ୍ ହୋଇଛି ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତର ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର କୁଲଦୀପ ଯାଦବ ଓ ମହମ୍ମଦ ସାମି ଚମତ୍କାର ବୋଲିଂ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ଭାରତ ଜିତିବା ପରେ ଶୃଙ୍ଖଳା ୧-୧ରେ ପହଞ୍ଚିଛି । ଅନ୍ୟପଟେ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମୁକାବିଲା ଡିସେମ୍ବର ୨୨ରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ହେବ । ଆଉ ସେହି ଅନ୍ତିମ ମ୍ୟାଚ ହିଁ କହିବ କିଏ ହେବ ଦିନିକିଆ ସିରଜର ବାଦଶାହା ।

ପ୍ରଥମ ଇନିଂସରେ ଓପନର ରୋହିତ ଶର୍ମା (୧୫୯ ରନ୍‌, ୧୩୮ ବଲ, ୧୭ ଚୌକା, ୫ ଛକା) ଓ କେ.ଏଲ୍‌ ରାହୁଲ (୧୦୨ ରନ୍‌, ୧୦୪ ବଲ, ୮ ଚୌକା, ୩ ଛକା)ଙ୍କ ଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ୩୮୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୩୮୭ ରନ୍‌ ସଂଗ୍ରହ କରିଥିଲା ।

ଫଳରେ ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌ ୩୮୮ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ଓ୍ଵିକେଟ୍‌କିପର ବ୍ୟାଟସ୍‌ମ୍ୟାନ ସାଇ ହୋପ୍‌ (୭୫ ରନ୍‌, ୮୫ ବଲ, ୭ ଚୌକା), ନିକୋଲାସ ପୂରନ୍‌ (୭୫ ରନ୍‌, ୪୭ ବଲ, ୬ ଚୌକା, ୬ଛକା) ଓ କିମୋ ପଲ(୪୬ ରନ୍‌, ୪୨ ବଲ, ୪ ଚୌକା, ୩ ଛକା)ଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟସମ୍ୟାନ୍‌ ମାନେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲା । ଅତିଥି ଟିମ୍‌ ୪୩.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୮୦ ରନ୍‌ ସଂଗ୍ରହ କରିଥିଲା । ଇଣ୍ଡିଜ୍‌ ଟିମ୍‌ର ଓପନର ଇଭିନ୍‌ ଲୁଇସ୍‌ ୩୦ ରନ୍‌ ଓ ଖରି ପିଏରେ ୨୧ ରନ୍‌ ସଂଗ୍ରହ କରିଥିଲେ। କୁଲଦୀପ ଯାଦବଙ୍କ ବ୍ୟତୀତ ଭାରତର ଅନ୍ୟ ବୋଲର ମହମ୍ମଦ ସାମି ମଧ୍ୟ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ୨ଟି ଓ ଶାର୍ଦୁଲ ଠାକୁର ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ତେବେ ଆସନ୍ତା ୨୨ରେ ବାରବାଟୀରେ ହେବ ବିଗ୍ ଫାଇଟ୍ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ବା ନିର୍ଣ୍ଣାୟକ ମ୍ୟାଚ୍ । ଯାହାକୁ ନେଇ କ୍ରିକେଟପ୍ରେମୀ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କିଭଳି ମ୍ୟାଚ୍ କୁ ଶାନ୍ତିଶୃଙ୍ଖଳାରେ ସଫଳ କରିବା ପାଇଁ ଓସିଏ ପକ୍ଷରୁ ଦର୍ଶକମାନଙ୍କୁ ନିବେଦନ କରାଯାଇଛି ।