ତାଜମହଲ ବିବାଦକୁ ନେଇ ଟ୍ୱିଟ କଲେ ଏଲନ ମସ୍କ, ଜାଣନ୍ତୁ କଣ କହିଲେ

323

କନକ ବ୍ୟୁରୋ : ବିଶ୍ୱର ମୋଟ ପ୍ରସିଦ୍ଧ ୭ ଟି ଦର୍ଶନୀୟ ସ୍ଥାନ ମଧ୍ୟରେ ଥିବା ତାଜମହଲ ଏବେ ଅନ୍ୟ ଏକ ବିବାଦକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । ବିଜେପିର ଜଣେ ନେତା ତାଜମହଲର ଇତିହାସ ନେଇ କୋର୍ଟରେ ପହଂଚିଛନ୍ତି । ସେ ଦାବି କରିଛନ୍ତି କି ତାଜମହଲ ଭିତରେ ବନ୍ଦ ପଡିଥିବା ୨୨ ଟି କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସହ କିଛି ଶିଳାଲେଖ ରହିଛି । ଏହି ବନ୍ଦ କୋଠରୀକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ଆବେଦନ କରିଛନ୍ତି । ଏହାରି ମଧ୍ୟରେ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି କୁହାଯାଉଥିବା ଏଲନ ମସ୍କଙ୍କ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟଟିକୁ ସେ ଗତକାଲି ଅର୍ଥାତ ମଇ ୯ ତାରିଖରେ ପୋଷ୍ଟ କରିଥିଲେ ।

ଏବେ ଏବେ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରକୁ କିଣିବା ନେଇ ଚର୍ଚ୍ଚାରେ ଥିବା ମସ୍କ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ‘ମୁଁ ୨୦୦୭ରେ ତାଜମହଲ ପରିଭ୍ରମଣରେ ଯାଇଥିଲି, ଏହା ବିଶ୍ୱର ଅନ୍ୟଏକ ସୌନ୍ଦର୍ଯ୍ୟ ସ୍ଥାନ’ ମସ୍କଙ୍କ ଏହି ଟ୍ୱିଟ୍ ପରେ ଏବେ ହଜାର ହଜାର ଲୋକ ଏହାର ପ୍ରତି ଉତ୍ତର ଦେବାରେ ଲାଗିଛନ୍ତି ।

କହିରଖୁ କି ବିଶ୍ୱର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ତାଜମହଲର ଇତିହାସକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି । ତାଜମହଲ ଭିତରେ ଶିବ ମନ୍ଦିର ଥିବାନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ମାମଲା ବି ଦାଖଲ ହୋଇଛି । ଆବେଦନକାରୀ ତାଜମହଲ ଭିତରେ ବନ୍ଦ ଥିବା ୨୨ କୋଠରୀ ଉପରୁ ରହସ୍ୟ ହଟାଇବାକୁ ଆବେଦନ କରିଛନ୍ତି ।