ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ସସପେନ୍ସ ଜାରି । ଚୂଡାନ୍ତ ଫଳାଫଳ ପୂର୍ବରୁ ହାତ ମିଳାଇଲେ ସରିଫ ଓ ଭୁଟୋ 

176

କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ଫଳାଫଳ ଆସିବା ପରେ ଗୋଟିଏ ପଟେ ଇଲେକ୍ସନରେ ବାଜି ମାରିଥିବା ଦାବି କରିଛନ୍ତି ପାକିସ୍ତାନ ମୁସଲିମ୍ ଲିଗ୍ ଅଧ୍ୟକ୍ଷ ନୱାଜ ସରିଫ । ସେହିପରି ଅନ୍ୟପଟେ ଜେଲ ଭିତରୁ ନିଜୟ ବିଜୟ ବକ୍ତବ୍ୟ ଦେଇଛନ୍ତି ପାକିସ୍ତାନ ତେହରିକ-ଏ-ଇନସାଫ ମୁଖ୍ୟ ଇମ୍ରାନ ଖାନ୍ । ଉଭୟ ନେତା ଚଳିତ ନିର୍ବାଚନରେ ବିଜୟ ହାସଲ କରିଥିବା ଦାବି କରୁଛନ୍ତି । ତେବେ ନିର୍ବାଚନ ଫଳାଫଳର ପ୍ରକୃତ ଚିତ୍ର କିନ୍ତୁ କିଛି ଭିନ୍ନ ରହିଛି । ଏଠି କୌଣସି ବି ରାଜନୈତିକ ଦଳ ବହୁମତ ହାସଲ କରି ନାହିଁ । ଇମ୍ରାନ ଖାନ୍ଙ୍କ ସମର୍ଥକ, ନିର୍ଦ୍ଦଳୀୟ ପ୍ରାର୍ଥୀ ୧୦୦ଟି ଆସନ ସହ ଆଗରେ ରହିଛି ଆଉ ଦ୍ୱିତୀୟ ସ୍ଥାନରେ ରହିଛି ନୱାଜ ସରିଫଙ୍କ ପାର୍ଟି ।

  • ପାକିସ୍ତାନରେ ଘଡ଼ିକେ ଛୁଟିଛି ଘୋଡ଼ା
  • ୧୭୦ ଆସନ ଥିବା ଇମ୍ରାନଙ୍କ ଦାବି!
  • ବିଲାବଲଙ୍କ ସହ ହାତ ମିଶାଇବେ ନୱାବ!

ଗୁରୁବାର ପାକିସ୍ତାନ ନ୍ୟାସନାଲ ଆସେମ୍ଲି ଓ ରାଜ୍ୟ ନିର୍ବାଚନ ପାଇଁ ଭୋଟ୍ ପଡିଥିଲା । ଶୁକ୍ରବାର ଆସିଥିଲା ଫଳାଫଳ । ପ୍ରମୁଖ ଭାବେ ଇମ୍ରାନ ଖାନଙ୍କ ପାକିସ୍ତାନ-ତେହରିକେ-ଇନସାଫ ବା ପିଟିଆଇ, ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ ବା ପିଏମଏଲ୍-ଏନ୍ ଓ ବିଲାବଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲସ ପାର୍ଟି ବା ପିପିପି ଭିତରେ ଦେଖିବାକୁ ମିଳିଥିଲା ପ୍ରତିଦ୍ୱନ୍ଦିତା । ସବୁଠାରୁ ଅଧିକ ୧୦୦ଟି ସିଟରେ ଆଗୁଆ ରହିଥିଲା ଇମ୍ରାନଙ୍କ ପିଟିଆଇ ସମର୍ଥକ । ହେଲେ କୌଣସି ବି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା ।

କୌଣସି ବି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନାହାଁନ୍ତି । ହେଲେ ସରକାର ଗଢିବାକୁ ଉଭୟ ଇମ୍ରାନ ଖାନଙ୍କ ପାର୍ଟି ଓ ନୱାଜ ସରିଫ ଦାବି କଲେଣି । ଆଉ ଏହାକୁ ନେଇ ପାକିସ୍ତାନ ରାଜନୀତିରେ ପ୍ରହସନ ଦେଖିବାକୁ ମିଳିଛି । ଗୋଟିଏ ପଟେ ଇମ୍ରାନଙ୍କ ସମର୍ଥକ ଖୁସି ମନାଉଛନ୍ତି । ତ ଅନ୍ୟପଟେ ନୱାଜ ସରିଫ ବିଲାବଲଙ୍କ ସହ ହାତ ମିଶାଇ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି ।

ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ମୋଟ ୩୩୬ ସିଟ୍ ଅଛି । ଏଥିରୁ ୨୬୫ ଆସନ ପାଇଁ ଭୋଟିଂ ହୋଇଥିଲା । ଗୋଟିଏ ଆସନରେ ନିର୍ବାଚନକୁ ବାତିଲ କରାଗଲା । ସରକାର ଗଢିବା ପାଇଁ ବହୁମତ ୧୩୪ ଟି ଆସନର ଆବଶ୍ୟକତା ରହିଛି । ଆଉ ଏଭଳି ପରିସ୍ଥିତିରେ ଇମ୍ରାନଙ୍କ ପିଟିଆଇ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛି । ପିଟିଆଇ ନେତା ଗୌହର ଖାନ୍ କହିଛନ୍ତି, – ତାଙ୍କ ଦଳ ୧୭୦ ସିଟ୍ ସହ ସରକାର ଗଢିବ । ଏଥିରୁ ୯୪ଟି ଇମ୍ରାନଙ୍କ ସମର୍ଥକଙ୍କର ରହିଛି ।

ନିର୍ବାଚନ ଫଳାଫଳ ଆସିବା ପରେ ପାକିସ୍ତାନରେ ପ୍ରହସନ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ ପ୍ରସଙ୍ଗ ପାଲଟିଛି । ଏହାରି ଭିତରେ ଜେଲ୍ରେ ଥିବା ଇମ୍ରାନ ଖାନ୍ଙ୍କୁ ୧୨ଟି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ । ଆଉ ତାଙ୍କ ଦଳ ଓ ନବାଜ ସରିଫଙ୍କ ପାର୍ଟି ଭିତରେ ସରକାର ଗଢିବାକୁ ନେଇ ଚାଲିଛି ହାଇ ଡ୍ରାମା ।