ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ।

231

କନକ ବ୍ୟୁରୋ: ହାଇକମାଣ୍ଡଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ରାଜ୍ୟରେ କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ । ପାର୍ଟିଲାଇନରୁ ହଟି ନେତା ଦଳ ବିରୋଧୀ ବୟାନ ଦେଉଛନ୍ତି । ଆଉ ଏହା ବିରୋଧରେ କଠୋର ହୋଇଛନ୍ତି ରାଜ୍ୟ ନେତୃତ୍ୱ । ଦଳୀୟ ବିଶୃଙ୍ଖଳା ଦର୍ଶାଇ କଂଗ୍ରେସର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ଏହି ଦୁଇ ନେତା ହେଲେ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକ୍କିମ । ତେବେ ୭ ଦିନ ଭିତରେ ନୋଟିସର ଜବାବ ଦେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

  • କଂଗ୍ରେସର ୨ ବିଧାୟକଙ୍କୁ ନୋଟିସ୍
  • ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗ

ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କ କାରଣ ଦର୍ଶାଅ ନୋଟିସ ଜାରି କରିଛି ପିସିସି ଶୃଙ୍ଖଳା କମିଟି । ପଦ୍ମପୁର ନିର୍ବାଚନ ପ୍ରସଙ୍ଗରେ ଗଣମାଧ୍ୟମରେ କାହିଁକି ବିବାଦୀୟ ବୟାନ ଦେଲେ, ସେ ନେଇ ୭ଦିନ ଭିତରେ ଉତ୍ତର ରଖିବାକୁ ଦୁଇ ବିଧାୟକଙ୍କୁ ନୋଟିସ୍ରେ ନିର୍ଦ୍ଦେଶ ଦେଇଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ।

  • ନୋଟିସ୍ ପରେ ବିଧାୟକଙ୍କ ପ୍ରତିକ୍ରିୟା
  • ‘ଅପ୍ରିୟ ସତ୍ୟ କହିଥିଲୁ, ଉତ୍ତର ଦେବୁ’

କାରଣ ଦର୍ଶାଅ ନୋଟିସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦୁଇ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମ୍ । ଉଭୟ ନୋଟିସର ଉତ୍ତର ରଖିବେ ବୋଲି କହିଛନ୍ତିି । ସୁର କହିଛନ୍ତିି, ଅପ୍ରିୟ ସତ କହିବି । କେହି ରୋକି ପାରିବେନି । ନୋଟିସର ଉତ୍ତର ରଖିବି । ସେହିପରି ମହମ୍ମଦ ମୋକିମ୍ କହିଛନ୍ତି, ଅପ୍ରିୟ ସତ୍ୟ କହିଥିଲି । ଯେଉଁ କଥା ଆପୋଷ ସମାଧାନ ହୋଇପାରିବ, ସେଠି ଏମିତି ନୋଟିସ୍ କରି ସେମାନେ ଦଳକୁ ଭାଗ କରିବାକୁ ଚାହୁଁଛନ୍ତି ।

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ପରେ, ୨୦୧୯ରେ କଂଗ୍ରେସ ପାଇଥିବା ଭୋଟ୍ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ଏହି ଦୁଇ ନେତା । ଏପରିକି ଭୋଟ ବିକା ଯାଇଥିବା ଅଭିଯୋଗ ଆଣିଥିଲେ । ଦଳୀୟ ଭୋଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ । ଏଥିପାଇଁ ଦଳର ଶୀର୍ଷ ନେତାଙ୍କୁ ଦାୟୀ କରିଥିଲେ ।