ରାଜଧାନୀରେ ଦିନ ତମାମ ଚାଲିଲା ହାଇଡ୍ରାମା । ୫ ଘଣ୍ଟା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ ବିଶ୍ୱାଳ । ହୋର୍ଡିଂ ଉପରେ ଚଢ଼ିଯାଇ କରୁଥିଲେ ଆତ୍ମହତ୍ୟା ଉଦ୍ୟମ

108

କନକ ବ୍ୟୁରୋ: ରାଜଧାନୀରେ ହାଇଡ୍ରାମା । ପ୍ରାୟ ୫ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାର ଦାବି ନେଇ ସେ ଆଜି ସକାଳେ ଶିଶୁଭବନ ଛକ ପାଖରେ ଥିବା ହୋର୍ଡିଂ ଉପରେ ଚଢ଼ିଯାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ତେବେ ଶେଷରେ ବହୁ କସରତ ପରେ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଛନ୍ତି । ଏହାପରେ ମୁକ୍ତିକାନ୍ତଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଛି ।

  • ସମୟ ଦିନ ୧୧ଟା
  • ସ୍ଥାନ:ଭୁବନେଶ୍ୱର ଶିଶୁଭବନ ଛକ

ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ଭୁବନେଶ୍ୱର ଯେତେବେଳେ ଚଳଚଞ୍ଚଳ ଥିଲା ଏହି ସମୟରେ ଜନଗହଳିପୂର୍ଣ୍ଣ ଶିଶୁଭବନ ଛକରେ ଥିବା ଏକ ହୋର୍ଡିଂ ଉପରେ ଚଢିଯାଇଥିଲେ ଜଣେ ଯୁବକ । କେହି କିଛି ଭାବିବା ପୂର୍ବରୁ ଏଭଳି ଘଟଣା ଘଟିଯାଇଥିଲା । ପରେ ଜଣାପଡିଥିଲା ଯୁବକ ଜଣକ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଅନୁମତି ନ ମିଳିବାରୁ ସେ ହଠାତ୍ ହୋର୍ଡିଂ ଉପରେ ଚଢିଯାଇଥିଲେ । ହାତରେ ଧରିଥିଲେ ଡିଜେଲ ଓ ଦିଆସିଲି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ନ ମିଳିଲେ ଆତ୍ମହତ୍ୟା ଧମକ ଦେଇଥିଲୋ ।

  • ରାଉରକେଲାର ଦାବି ନେଇ ଆସିଥିଲେ ଭୁବନେଶ୍ୱର
  • ୭ ଦିନ ପରେ ବି ନବୀନଙ୍କୁ ଭେଟିବାକୁ ମିଳିନଥିଲା ଅନୁମତି

ହଠାତ୍ ମୁକ୍ତିକାନ୍ତ ହୋର୍ଡିଂ ଉପରକୁ ଚଢିଯିବା ପରେ ପ୍ରଶାସନ ହରଡଘଟଣାରେ ପଡିଯାଇଥିଲା । ଅଗ୍ନିଶମ ବାହିନୀର କର୍ମଚାରୀ ମୁକ୍ତିକାନ୍ତଙ୍କୁ ତଳକୁ ଆସିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ଦେବାକୁ ବି ପ୍ରତିଶ୍ରୃତି ଦିଆଯାଇଥିଲା କିନ୍ତୁ ସେ କିଛି ଶୁଣିନଥିଲେ । ପରେ ପରେ ଏଠାରେ ଲୋକ , ସମାଜସେବୀ ଓ କିଛି ସଙ୍ଗଠନ ମଧ୍ୟ ଭିଡ ଜମାଇଥିଲେ । କିନ୍ତୁ କିଛି ଫଳ ମିଳିନଥିଲା । ନିଜ ଜିଦରେ ଅଟଳ ରହିଥିଲେ ମୁକ୍ତିକାନ୍ତ ବିଶ୍ୱାଳ ।

  • ସମୟ-ଦିନ ୩ଟା୪୫
  • ମୁକ୍ତିକାନ୍ତଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନାକେଦମ

ମୁକ୍ତିକାନ୍ତ ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଧମକ ଦେଉଥିଲେ । ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ହୋଇଥିଲ । ଶେଷରେ ୫ ଘଣ୍ଟାର ହଇଡ୍ରାମା ପରେ ଅଗ୍ନିଶମବାହିନୀର କର୍ମଚାରୀ ହୋର୍ଡିଂ ଉପରେ ଚଢି ମୁକ୍ତିକାନ୍ତିଙ୍କୁ ଉଦ୍ଧାର କରିଥିଲେ । ଏଥିପାଇଁ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା । ତେବେ ଉଦ୍ଧାର ପରେ ମୁକ୍ତିକାନ୍ତଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ମୁକ୍ତିକାନ୍ତ କହିଛନ୍ତି, ଲଢେଇ ଜାରି ରହିବ ।

ମୁଖ୍ୟମନ୍ତ୍ରୀ ୨୦୧୩ରେ ରାଉରକେଲା ଯାଇଥିବା ବେଳେ ମହାନଗରର ବିକାଶ ପାଇଁ ଅନେକ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ଏହା ପାଳନ କରାଯାଇନଥିବା ଦର୍ଶାଇ ମୁକ୍ତିକାନ୍ତ ବିଶ୍ୱାଳ ପ୍ରସ୍ତାବିତ ପ୍ରକଳ୍ପର ଏକ ମଡେଲକୁ ଭାର କରି ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ନ ମିଳିବାରୁ ଶିଶୁଭବନ ଛକରେ ସେ ଧାରଣାରେ ବସିଥିଲେ ।