ଏଥର ବି ସାଧାରଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତର ୩ ବର୍ଷ ହେଲା ଦିଲ୍ଲୀ ଦରବାରରେ ଓଡ଼ିଶାକୁ ଉପେକ୍ଷା

120

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଓଡିଶାକୁ ଉପେକ୍ଷା । ସାଧାରଣତନ୍ତ୍ର ଦିବସ ପରେଡରୁ ପୁଣି ବାଦ୍ ପଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଲଗାତାର ୩ ବର୍ଷ ହେଲା ପରେଡରୁ ବାଦ ପଡିଛି ପ୍ରଜ୍ଞାପନ ମେଢ । ତେବେ ପ୍ରଜ୍ଞାପନ ମେଢ ପାଇଁ ଚୂଡାନ୍ତ ହୋଇଥିଲା ମଡେଲ । ଏଥିପାଇଁ ଗୀତ ରେକର୍ଡିଂ ବି ସରିଥିଲା । ହେଲେ ଫାଇନାଲ ରାଉଣ୍ଡରେ ବାଦ ପଡିଲା ଓଡ଼ିଶାର ନାଁ । ଯାହାକି ରାଜ୍ୟର କୋଟି କୋଟି ଲୋକଙ୍କୁ ଶକ୍ତ ଆଘାତ ଦେଇଛି ।

  • ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ନିରାଶ
  • ପୁଣି ବାଦ୍ ପଡ଼ିଲା ପ୍ରଜ୍ଞାପନ ମେଢ଼

ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ପରେଡରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଲଗାତର ତୃତୀୟଥର ପାଇଁ ଦିଲ୍ଲୀ ରାଜପଥରେ ସାମିଲ୍ ହେବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ମଡେଲକୁ ନେଇ ଚୟନକର୍ତ୍ତାଙ୍କର ଉଚ୍ଚ ପ୍ରଶଂସା ସତ୍ତ୍ୱେ ପଞ୍ଚମ ପର୍ଯ୍ୟାୟ ବୈଠକରୁ ବାଦ ପଡ଼ିଛି । ଯାହା ଓଡ଼ିଶାର ଶିଳ୍ପୀଙ୍କୁ ନିରାଶ କରିଛି, କିନ୍ତୁ ସେମାନେ ଆଶା ଛାଡ଼ି ନାହାଁନ୍ତି ।

୨୦୧୬, ୨୦୧୭ ଓ ୨୦୨୦ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ମଡେଲ । କିନ୍ତୁ ୨୦୨୧ ଓ ୨୦୨୨ରେ ଲଗାତର ଦୁଇବର୍ଷ ଧରି ବାଦ୍ ପଡ଼ିଥିଲା । ପ୍ରଜ୍ଞାପନ ମେଢ଼ ରାଜପଥରେ ଗଡ଼ିବା ଆଶା ନେଇ ସମସ୍ତ ପ୍ରସ୍ତୁତି କରିସାରିଥିଲା । ନାରୀ ସଶକ୍ତିକରଣ, ମାଣ୍ଡିଆ, ଖେଳ ଓ ମୁକ୍ତେଶ୍ୱର ମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଥିଲା ପ୍ରଜ୍ଞାପନ ମେଢ଼ । ମୁକ୍ତେଶ୍ୱର ମନ୍ଦିର ଶୈଳୀରେ ମଡେଲ ଚୟନ ହୋଇଥିଲା । ଏହା ସହିତ ଓଡ଼ିଶାର ନୃତ୍ୟ କଳା ମାହାରୀ ଓ ଘୁମୁରାର ଶିଳ୍ପୀ ମାନଙ୍କୁ ସାମିଲ କରାଯାଇଥିଲା । ଏଥିପାଇଁ ସଂଗୀତ ମଧ୍ୟ ପ୍ରସ୍ତୁତି ସରିଥିଲା । କିନ୍ତୁ ପଞ୍ଚମ ବୈଠକକୁ ନଡକାଯିବାରୁ ନିରାଶ ହୋଇଛନ୍ତି ଶିଳ୍ପୀ ।

ପଞ୍ଚମ ପର୍ଯ୍ୟାୟ ପାଇଁ ୧୪ ରାଜ୍ୟର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଓଡ଼ିଶାକୁ ବାଦ ଦିଆଯାଇଛି । ଉଚ୍ଚକୋଟୀର ମଡେଲ ପ୍ରସ୍ତୁତ କଲା ପରେ ମଧ୍ୟ କାହିଁକି ଓଡ଼ିଶାର ମେଢ କାହିଁକି ବାଦ୍ ପଡିଲା, ତାକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।