ଟେଡି ବ୍ୟବସାୟ କରି ଲାଭବାନ ହେଉଛନ୍ତି କଟକର ସୁନିଲ ଓ ସୁମନ: ନିଜେ ରୋଜଗାର କରିବା ସହ ୬୦ଜଣଙ୍କୁ ଯୋଗାଇଛନ୍ତି କର୍ମନିଯୁକ୍ତି

258

କନକ ବ୍ୟୁରୋ: ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଯାଏଁ ଟେଡ଼ି ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିିଥାଏ । ଘରେ ସାଜସଜା ପାଇଁ ହେଉ କିମ୍ବା କାହାକୁ ଗିପ୍ଟ ଦେବା ପାଇଁ ଲୋକେ ଟେଡ଼ି କିଣିଥାଆନ୍ତି । ଥରେ ନଜର ପକାନ୍ତୁ ଏ ଦୃଶ୍ୟକୁ କେତେ ସୁନ୍ଦର ଭାବେ ଥାକରେ ସଜା ହୋଇ ରହିଛି ଭଳିିକି ଭଳି ରଙ୍ଗବେରଙ୍ଗର ଟେଡି । ଇଏ ବିକ୍ରୀ ହେଉଥିବା କୈାଣସି ଟେଡି ସପ କିମ୍ବା ମାର୍କେଟର ଦୃଶ୍ୟ ନୁହେଁ ଏହା ତିଆରି ହେଉଥିବା ଷ୍ଟୋରର ଦୃଶ୍ୟ । ଏଠାକାର ଟେଡ଼ିଗୁଡ଼ିକ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଥିଲେ ମଧ୍ୟ ଏହାକୁ ତିଆରି କରିବାକୁ କମ ସମୟ ଲାଗିଥାଏ । ଏହି ଷ୍ଟୋରକୁ ଉଚ୍ଚ ଶିକ୍ଷିତ ଦୁଇ ଜଣ ସାଙ୍ଗ ସୁନିଲ ଏବଂ ଏବଂ ସୁମନ ମିଶିକି କରିଛନ୍ତି । ୨୦୧୩ରୁ କଟକ ଖପୁରିଆ ଅଂଚଳରେ ଆରମ୍ଭ କରିଥିଲେ ଏହି ଟେଡ଼ି ତିଆରି ଷ୍ଟୋର । ଏହାଦ୍ୱାରା ନିଜେ ପ୍ରତିଷ୍ଠିତ ହେବା ସହ ୬୦ ଜଣଙ୍କୁ ଯୋଗାଇଛନ୍ତି କର୍ମନିଯୁକ୍ତି ।

ଏହି ଷ୍ଟୋରରେ ୬୦ରୁ ୭୦ ପ୍ରକାରର ଟେଡି ରହିଛି । ଦୁଇ ସାଙ୍ଗ ଏହି ଟେଡ଼ି ତିଆରି ଷ୍ଟୋର କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୁନିଲ ଷ୍ଟାଟିଟିକ୍ସରେ ପିଜି କରିଛନ୍ତି । କିନ୍ତୁ ଚାକିରି କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ଦୁଇ ସାଙ୍ଗ ମିଶି ଆରମ୍ଭ କରିଥିଲେ ଏହି ବ୍ୟବସାୟ । ମାତ୍ର ୧୫ ହଜାର ଟଙ୍କାରୁ ଆରମ୍ଭ କରିଥିବା ଏହି ବ୍ୟବସାୟରେ ଏବେ ଲକ୍ଷାଧିକ ଟଙ୍କାରେ ପହଂଚିଛି । ପ୍ରଥମେ ଅଳ୍ପ କିଛି ଟେଡି ତିଆରି କରିବା ପରେ ଧିରେ ଧିରେ ତାଙ୍କ ଟେଡ଼ିର ଚାହିଦା ବଢ଼ିଥିଲା । ପରେ ବିଭିନ୍ନ ମେସିନ କିଣି ବଢ଼ାଇଥିଲେ ବ୍ୟବସାୟ । ଦିଲ୍ଲୀ, କଲିକତା ଏବଂ ମୁମ୍ବାଇରୁ ସୁଲଭ ମୂଲ୍ୟରେ ଟେଡ଼ି କପଡ଼ା ଏବଂ ସାମଗ୍ରୀ କିଣି ଟେଡ଼ି ତିଆରି କରୁଛନ୍ତି । ତିଆରି ପରେ ପ୍ୟାକିଂ କରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଛନ୍ତି । ତେବେ ଏହି ଟେଡ଼ିର ଦାମ ୮୦ ଟଙ୍କାରୁ ଆରମ୍ଭ ହୋଇ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ସରକାରୀ ଚାକିରି ପଛରେ ନପଡି କିଛି ନୂଆ କରିବାର ଆଶାରେ ଆଗକୁ ବଢିଥିବା ଦୁଇ ବନ୍ଧୁ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ବହୁ ପରିବାରଙ୍କ ରୋଜଗାରର ମାଧ୍ୟମ ପାଲଟିଛନ୍ତି ।