ସୁନ୍ଦରଗଡ : ନାଁକୁ ଖୋଲା ହୋଇଛି ଫାଇଲ୍, କାମ ନକରି ସରକାରଙ୍କ ଆକାଉଂଟରୁ ଲକ୍ଷ ଲକ୍ଷ ଟଙ୍କା ହଡପ

37

କନକ ବ୍ୟୁରୋ : ଦୁର୍ନୀତି କରିବାର ନୂଆ ଉପାୟ ଆପଣାଇଛନ୍ତି ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକର କିଛି ଅସାଧୁ କର୍ମଚାରୀ । ନାଁକୁ ଖାଲି ଫାଇଲ୍ ଖୋଲା ହୋଇଛି, ଆଉ କାମ ନକରି ସରକାରଙ୍କ ଆକାଉଂଟରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିନେଇଛନ୍ତି । ଏହି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲାର ଦେଓଗାଁ ପଂଚାୟତ ଅନ୍ତର୍ଗତ ଲୁହୁରାପଡାରୁ ।

ଅଭିଯୋଗ ଅନୁଯାୟୀ ଲୁହୁରାପଡାରେ ଥିବା ଛୋଟ ଡ୍ୟାମର ସରପ୍ଲସ ନିର୍ମାଣ ପାଇଁ ପାଂଚ ଲକ୍ଷ ଟଙ୍କାର ଏଷ୍ଟିମେଟ କରାଯାଇଥିଲା । ଗାଁରେ ଗ୍ରାମସଭା କରି ଭିଲେଜ ଲେବଲ ଲିଡର ମଧ୍ୟ ନିଯୁକ୍ତି କରାଯାଇଥିଲା । ହେଲେ କାମ ନହୋଇ ମଧ୍ୟ ଦୁଇଟି ପର୍ଯ୍ୟାୟରେ ପାଂଚ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ ।

ଗ୍ରାମବାସୀଙ୍କଠାରୁ ଏହି ଅଭିଯୋଗ ପାଇବା ପରେ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ଆଉ କନକ ନ୍ୟୁଜ୍ କ୍ୟାମରୋ କଏଦ କରିଥିଲା ଏହି ଡ୍ୟାମଟିର ବାସ୍ତବ ଚିତ୍ର । ଡ୍ୟାମଟି ଏବେ ବି ସେମିତି ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି । ଯାହା ବୟାନ କରୁଛି କିଭଳି ହୋଇଛି କାର୍ଯ୍ୟ, ଆଉ ସରକାରୀ ଟଙ୍କାକୁ କିଭଳି ଚଳୁ କରିଛନ୍ତି ସରକାରୀ ବାବୁ । ତେବେ ଏହି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଆଉ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି ଦୁନୀତିର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।