ସେପ୍ଟେମ୍ବର ୩୦ରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ ! 

186
କନକ ବ୍ୟୁରୋ : ରାଜ୍ୟରେ ଥିବା ସମସ୍ତ ଡିଗ୍ରି, ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କରେ ଏଥର ଗୋଟିଏ ସମୟରେ ଛାତ୍ର ସଂସଦ ନିର୍ବାଚନ ହେବ। ସେପ୍ଟେମ୍ବର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ରେ ନିର୍ବାଚନ କରାଯାଇ ସେହିଦିନ ହିଁ ଫଳାଫଳ ପ୍ରକାଶ କରାଯିବ। ପରଦିନ ଅର୍ଥାତ୍ ଅକ୍ଟୋବର ପହିଲାରେ ଶପଥ ଗ୍ରହଣ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯-୨୦ ମସିହା ପାଇଁ  ପ୍ରକାଶିତ କମନ୍ ମିନିମମ୍ ଷ୍ଟାଣ୍ଡାର୍ଡ(ସିଏମ୍ଏସ୍) ଗାଇଡଲାଇନରେ ପରୋକ୍ଷରେ ଏଭଳି ସୂଚନା ଦିଆଯାଇଛି।
source :Odisha News Times

ବିଭାଗ ପକ୍ଷରୁ ପ୍ରକାଶିତ ଗାଇଡଲାଇନରେ କେଉଁ ମାସରେ କ’ଣ ହେବ ସେନେଇ ସ୍ପଷ୍ଟ କରାଯାଇଛି। ସେପ୍ଟେମ୍ବର ୭, ୧୪ ଓ ୨୧ ତାରିଖରେ ଯଥାକ୍ରମେ ଯୁକ୍ତ୩ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ। ଏହାପରେ ଗୋଟିଏ ସମୟରେ ସମସ୍ତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ କରାଯାଇ ଅକ୍ଟୋବର ପହିଲା ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରାଯିବ। ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି ହେବ। ଏଥର ଚୂଡ଼ାନ୍ତ ସେମିଷ୍ଟାର ପରୀକ୍ଷା ପୂର୍ବରୁ ମିଡ୍ ସେମିଷ୍ଟାର ପରୀକ୍ଷା କରାଯିବ। ସେପ୍ଟେମ୍ବର ଶେଷ ସପ୍ତାହ ଓ ୨୦୨୦ ଫେବ୍ରୁଆରି ପ୍ରଥମ ସପ୍ତାହରେ ମିଡ୍ ସେମିଷ୍ଟାର ପରୀକ୍ଷା ହେବ। ଶେଷ ସେମିଷ୍ଟାର ପରୀକ୍ଷା ଡିସେମ୍ବର ପ୍ରଥମ ଓ ଏପ୍ରିଲ ଶେଷ ସପ୍ତାହରେ ହେବ। ଡିସେମ୍ବର ୨୫ରୁ ଏକ୍ସ-ମାସ୍ ଛୁଟି ହେବ ବୋଲି ଗାଇଡଲାଇନରେ କୁହାଯାଇଛି।

୨୦୨୦ ଜାନୁଆରି ୨ରୁ ୧୫ ତାରିଖ ମଧ୍ୟରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା, ଜାନୁଆରି ପ୍ରଥମ ସପ୍ତାହରେ ଆଲୁମିନି ମିଟ୍ ହେବ। ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ। ଶେଷ ସେମିଷ୍ଟାରର ପରୀକ୍ଷା ଫଳ ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପ୍ରକାଶ କରିବେ। ଚଳିତ ଶିକ୍ଷାବର୍ଷରେ ମୋଟ ୭୨ଟି ଛୁଟି ରହିଛି। ୧୮୦ଟି ପାଠପଢ଼ା ଦିବସ ରହିଛି। ୨୦୨୦ ମେ’ ୯ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହେବ ବୋଲି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି।