ପରିଣତ ବୟସରେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ ! ପୁଅ-ଝିଅ ଥାଇ ବି ବେସାହାରା, ଅଟୋ ଚଳାଇ ପେଟ ପୋଷୁୁଛନ୍ତି ବ୍ରହ୍ମପୁରର ବୃଦ୍ଧ ଦମ୍ପତି

46

କନକ ବ୍ୟୁରୋ : ବୟସର ଅପରାହ୍ନରେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ । ୭ ପୁଅ-ଝିଅ ଥାଇ ବି ବେସାହାରା ବାପା-ମାଆ । ୫୦ ବର୍ଷ ବୟସରେ ସ୍ୱାମୀ କାନ୍ଧରେ କାନ୍ଧ ମିଳାଇ ଚାଲିଛନ୍ତି ସ୍ତ୍ରୀ । ପୁଅ-ଝିଅ ପର କରିଦେବା ପରେ ଅଟୋ ଚଳାଇ ପେଟ ପୋଷୁୁଛନ୍ତି ବ୍ରହ୍ମପୁରର ବୃଦ୍ଧ ଦମ୍ପତି ।

ପରିଣତ ବୟସରେ ବି ତଥାପି ଥକି ପଡିନି ପାଦ । ସମସ୍ୟାର ବୋଝ ଆଗରେ ହାରିନି ସାହସ । ଦୁଇ ଓଳି ଖାଇବା ପାଇଁ କାହା ଉପରେ ବୋଝ ହେବାକୁ ଚାହାନ୍ତିନି ସେମାନେ । ୪ ଝିଅ-୩ ପୁଅଙ୍କ ବାପା ମାଆ ମାହେରୀ ଓ ଦୀପକ । କିନ୍ତୁ ଦୁଃଖର କଥା ପରିଣତ ବୟସରେ ବାପା ମାଆଙ୍କ ସାହା ହେବା ପାଇଁ କେହି ନାହାନ୍ତି । ତେଣୁ ପେଟ ପାଇଁ କାହାକୁ ହାତ ନପତେଇ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଳାଇ ସଂଘର୍ଷ କରୁଛନ୍ତି ମାହେରୀ । ଆଉ ପେଟ ପୋଶିବା ପାଇଁ ଏମାନଙ୍କୁ ସହାୟତାର ହାତ ବଢାଇ ସହରରେ ଥିବା ଏକ ଇ-ରିକ୍ସା କମ୍ପାନୀ । କମ୍ ଟଙ୍କା ନେଇ ଋଣ ଆକାରରେ ଏକ ଇ-ରିକ୍ସା ଯୋଗାଇ ଦେଇଛି ସଂପୃକ୍ତ କମ୍ପାନୀ । ପ୍ରଥମେ ଦୀପକ ରିକ୍ସା ଚଳାଉଥିବା ବେଳେ ଏବେ ମାହେରୀ ମଧ୍ୟ ରିକ୍ସା ଚଳାଇ ଦୁଇ ପଇସା ରୋଜଗାର କରିପାରୁଛନ୍ତି

ସହରର ପୁରୁଣା ବସଷ୍ଟାଂଡ, ନୂଆ ବସଷ୍ଟାଂଡରୁ ରେଳ ଷ୍ଟେସନ ଆଦି ସ୍ଥାନକୁ ଯାତ୍ରୀ ନେବା ଆଣିବା କରି ଦିନକୁ ୫ ଶହରୁ ୭ ଟଙ୍କା ରୋଜଗାର କରିଥାନ୍ତି ଏହି ଦମ୍ପତି । ମାହେରୀ ଚଳାଉଥିବା ଇ-ରିକ୍ସା ବିଦ୍ୟୁତରେ ଚାର୍ଜ ହେଲେ ଚାଲିଥାଏ, ତେଣୁ ଏହାର ମେଂଟନାନ୍ସ ବହୁତ କମ୍ । ୫୦ ବର୍ଷ ବୟସରେ ଜଣେ ମହିଳା ଇ-ରିକ୍ସା ଚଳାଉଥିବାରୁ ମାହେରୀଙ୍କ ବିଭିନ୍ନ ମହଲରୁ ପ୍ରଶଂସା କରାଯାଏ ।