ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ତଦନ୍ତକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଉଠାଇଲା ପ୍ରଶ୍ନ

385

କନକ ବ୍ୟୁରୋ : ତେଜୁଛି ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ବିବାଦ । ଏହି ଘଟଣାରେ ରାଜ୍ୟ ମହିଳା କମିଶନଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ହରିଦାସପୁର ସ୍ମିତାରାଣୀ ମୃତ୍ୟୁ ମାମଲାରେ ମହିଳା କମିଶନ ଅଧ୍ୟକ୍ଷା ଠିକ୍ ଢଙ୍ଗରେ ତଦନ୍ତ ନକରି ତରବରିଆ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିବା ନେଇ ଅଭିଯୋଗ କରିଛି ବିଜେପି । ତେଣୁ ଆସନ୍ତା ୨୮ ତାରିଖରେ ମହିଳା କମିସନ ଅଫିସ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା । ଅନ୍ୟପଟେ ମହିଳା କମିଶନ ଦେଇଥିବା ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା ।

ଏହା ସହ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ପ୍ରଭାତି । ଯଦି ୨୪ ଘଂଟା ମଧ୍ୟରେ ମହିଳା କମିସନ ସଭାନେତ୍ରୀ ନିଜପଦରୁ ଇସ୍ତଫା ନଦିଅନ୍ତି ତେବେ ଆସନ୍ତା ୨୮ ତାରିଖ ଦିନ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହିଳା କମିଶନ ଅଫିସ ଘେରାଉ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ।