କେତେ କ୍ଷତି କଲା ଫୋନି? ଆସିଲା ଚୂଡାନ୍ତ ରିପୋର୍ଟ, ମୋଟ ୯୩୩୬ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ।

185

କନକ ବ୍ୟୁରୋ: ବାତ୍ୟା ଫୋନି ଜନିତ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହି ରିପୋର୍ଟରେ ମୋଟ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ଏଥିରେ ସାଧାରଣ ସଂପତିର କ୍ଷତି ପ୍ରାୟ ୬ ହଜାର ୬୪୩ କୋଟି ୬୩ ଲକ୍ଷ ଟଙ୍କା ହୋଇଥିବା ବେଳେ ପ୍ରଭାବିତ ବ୍ୟକ୍ତିଙ୍କ ରିଲିଫ କାମ ପାଇଁ ୨ ହଜାର ୬୯୨ କୋଟି ୬୩ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି ।

ତେବେ ଏନଡିଆରଏଫ ସହାୟତା ଅନୁସାରେ ୫ ହଜାର ୨୨୭ ଦଶମିକ ୬୮ କୋଟି ଟଙ୍କା ରିଲିଫ ଓ ପୁନରୁଦ୍ଧାର ପାଇଁ ଆବଶ୍ୟକ ବୋଲି ସରକାର କହିଛନ୍ତି । ଗତ ମେ ୩ ତାରିଖର ବାତ୍ୟା ଫୋନି ଯୋଗୁଁ ୧୪ଟି ଜିଲ୍ଲାର ୨୦ ହଜାର ୩୬୭ ଗାଁରେ କ୍ଷୟକ୍ଷତି ଆକଳନ କରାଯାଇଛି । ଏହି ବାତ୍ୟାରେ ୧.୬ କୋଟି ବ୍ୟକ୍ତି ପ୍ରଭାବିତ ହୋଇଥିବା ବେଳେ ୧.୮୮ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ଜଣାପଡିଛି । ମୋଟ ୫ ଲକ୍ଷ ୫୭ ହଜାର ୭୬୧ ଘର ଆଂଶିକ ବା ସଂପୂର୍ଣ୍ଣ ନଷ୍ଟ ହୋଇଛି ।

ପ୍ରଳୟଙ୍କାରୀ ବାତ୍ୟା ଫୋନି ଯୋଗୁଁ ୬୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ସରକାର ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ବର୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ୧ ହଜାର ୩୫୭ କୋଟି ୧୪ ଲକ୍ଷ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଦାନ କରାଯାଇଛି । ପୂର୍ବରୁ କେନ୍ଦ୍ରୀୟ ଟିମ୍ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସିଥିବା ବେଳେ ଏକ ମଧ୍ୟବର୍ତୀକାଳୀନ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହାପୂର୍ବରୁ ଫୋନି ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର ସହୟତା ରାଶି ଓ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।