ବାପା ଫେରିବାଲା, ଝିଅ ହେବେ ଡାକ୍ତର । ଗରିବ ଝିଅ ଆଣିଲେ ଗାଁ ପାଇଁ ଗୌରବ ।

1,906

କନକ ବ୍ୟୁରୋ: ଦୁଃଖ, ଦାରିଦ୍ର୍ୟତା, ଅଭାବ ଓ ଅନଟନ । ଏସବୁ ଶବ୍ଦ କେବେ ସଫଳତାର ବାଟ ରୋକିପାରେନି, ସଂଘର୍ଷ ଓ ସମସ୍ୟାର ସମୁଦ୍ର ପାରି ହୋଇ ସଫଳତାର ଗୋଟିଏ ସିଡ଼ି ଚଢ଼ିଛନ୍ତି ଫେରିବାଲାଙ୍କ ଝିଅ । ଯେବେ ନିଟ୍ ପରୀକ୍ଷାରେ ସଫଳ ହୁଏ ଗରିବ ଘରର ଝିଅ, ସେବେ ଘରେ ଖେଳିଯାଏ ଖୁସି, ପାଳନ ହୁଏ ଗୋଟେ ବଡ଼ପର୍ବ । କାରଣ ଗରିବ ଝିଅ ରଖିଛି ପରିବାରର ଟେକ ଆଉ ବନିଛି ଗାଁର ଗର୍ବ ।

କେନ୍ଦ୍ରାପଡ଼ା ତେଣ୍ଡା ପଞ୍ଚାୟତ ନରଡ଼ା ଗାଁର ବ୍ରଜକିଶୋର ସାହୁ । ଝିଅ ଶୁଭଲକ୍ଷ୍ମୀ ସାହୁ, ନାଁ ଯେମିତି କୀର୍ତ୍ତି ବି ସେମିତି । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଶୁଭଲକ୍ଷ୍ମୀ ଶୁଭ ଖବର ଆଣିବା ପରେ ଘରେ ଆଉ ଗାଁରେ ଖେଳିଯାଇଛି ଖୁସିର ଲହରୀ । କାରଣ ଶୁଭଲକ୍ଷ୍ମୀଙ୍କ ବାପା ଜଣେ ଫେରିବାଲା, ଗାଡ଼ି ପଛରେ ବିଭିନ୍ନ ଷ୍ଟେସନାରି ସାମଗ୍ରୀ ନେଇ ଦୁଇ ପଇସା ରୋଜଗାର କରନ୍ତି ।

ପିଲାଟି ବେଳୁ ଶୁଭଲକ୍ଷ୍ମୀ ବହୁତ ଅଭାବ ଅସୁବିଧାରେ ପାଠ ପଢ଼ିଛନ୍ତି । ହେଲେ ନିଜ ସଫଳତା ସିଲାବସରେ ସମସ୍ୟା, ସଙ୍କଟ ଭଳି ଶବ୍ଦକୁ ସ୍ଥାନ ଦେଇନାହାନ୍ତି ଶୁଭଲକ୍ଷ୍ମୀ । ଝିଅ ମାଟ୍ରିକ୍ ପାସ୍ ପରେ ଆଗକୁ ଆଉ ପାଠ ପଢ଼ାଇବା ପାଇଁ ଅର୍ଥ ଯୋଗାଡ଼ ପରିପାରିନଥିଲେ ବାପା । କାରଣ ଫେରିବାଲା ଅବା କେତେ ଯେ ରୋଜଗାର କରିବ, ସବୁ ସ୍ୱପ୍ନ କ’ଣ ସାକାର ହୋଇପାରିବ କି? ଏମିତି କିଛି ଭାବି ଭାବି ସାହସ ଯୁଟାଇ ପାରିନଥିଲେ ଶୁଭଲକ୍ଷ୍ମୀଙ୍କ ବାପା । ଶେଷରେ ଜଣେ ଶୁଭେଚ୍ଛୁଙ୍କ ସହାୟତାରେ ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ନିଟ୍ କୃତକାର୍ଯ୍ୟ ହୋଇଛନ୍ତି ଶୁଭଲକ୍ଷ୍ମୀ ।

ସବୁଠାରୁ ବଡ଼କଥା ହେଲା ଗତମାସ ୧୩ ତାରିଖରେ ଝିଅ ନିଟ୍ ପରୀକ୍ଷାରେ ପାସ୍ କରିଥିଲେ ଆଉ ଠିକ୍ ତା’ ପରଦିନ ବାପାଙ୍କ ଓପନ ହାର୍ଟ ସର୍ଜରୀ ହୋଇଥିଲା । ଗରିବ ଘରେ ଦୀପାବଳି ଭଳି ଖୁସିର ଆଲୋକ ଖେଳିଗଲା । ହସ୍ପିଟାଲ ବେଡରେ ହିଁ ବାପା ଝିଅର ସଫଳତାର ଖବର ପାଇଥିଲେ । ତେଣୁ ଶୁଭଲକ୍ଷ୍ମୀ ଏହି ସଫଳତାର ଶ୍ରେୟ ବାପା’ ମା’ ଗୁରୁଜୀ ଗୁରୁମା’ ଏବଂ ଆର୍ଥିକ ସହାୟତା କରିଥିବା ଶୁଭେଚ୍ଛୁଙ୍କୁ ଦେଇଛନ୍ତି ।

ବାପା ଫେରିବାଲା ବୋଲି କେଇଟଙ୍କା ରୋଜଗାର ନହେଲେ ଘରକୁ ଖାଲି ହାତରେ ଫେରେନ୍ତିନି ଠିକ୍ ସେମିତି ଝିଅ ମଧ୍ୟ ସଂଘର୍ଷ ଆଗରେ ସଫଳତାକୁ ହାସଲ ନକରିବା ଯାଏଁ ହାର ମାନିନି । ଅନେକ ଅସୁବିଧା ଥାଇ ବି ଗରିବ ଝିଅ ଆଜି ଗୌରବ ଆଣିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ସେଥିପାଇଁ ଶୁଭଲକ୍ଷ୍ମୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।