ଦୁଇ ବର୍ଷରେ ୪୨ ପ୍ରତିଶତକୁ ବୃଦ୍ଧି ମୋଦିଙ୍କ ସଂପତ୍ତି ! ଜାଣନ୍ତୁ ଅନ୍ୟ ମନ୍ତ୍ରୀଙ୍କ ନିକଟରେ କେତେ ରହିଛି ଧନ

39

ଗତ ଦୁଇ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପତ୍ତି ବୃଦ୍ଧି ପାଇଛି ପାଖାପାଖି ୪୨ ପ୍ରତିଶତ । ଯେବେକି ମୋଦିଙ୍କର ଅନ୍ୟ ମନ୍ତ୍ରୀଙ୍କ ସଂପତ୍ତି ବୃଦ୍ଧିପାଇବାରେ ରହିଛି ତାଙ୍କଠାରୁ ଖୁବ୍ ଆଗରେ । ଏହାର ଶୀର୍ଷରେ ରହିଛନ୍ତି କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ୍ନା ତୋମାର । ୨୦୧୫-୧୭ ଭିତରେ ତୋମାରଙ୍କ ସଂପତ୍ତି ସବୁଠାରୁ ଅଧିକ ବୃଦ୍ଧି ପାଇଛି । ତେବେ ୨୦୧୪-୧୫ରେ ତୋମାରଙ୍କ ସଂପତ୍ତି ୫୩ ଲକ୍ଷ ରହିଥିବାବେଳେ ବର୍ତ୍ତମାନ ତାହା ବଢି ୮୯ ଲକ୍ଷରେ ପହଂଚିଛି । ଏଭଳି ଭାବେ ଦୁଇ ବର୍ଷରେ ତୋମାରଙ୍କ ମୋଟ୍ ସଂପତ୍ତିରେ ପାଖାପାଖି ୬୭ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ବିଶେଷ ସୂତ୍ରରୁ ଯାହା ଜଣା ପଡିଛି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କର ସଂପତ୍ତି ୪୧, ୮ପ୍ରତିଶତକୁ ବୃଦ୍ଧି ପାଇବା ସହିତ ମୋଦି ନିଜର କ୍ୟାବିନେଟ୍ ସହଯୋଗୀ ତଥା ମନ୍ତ୍ରୀମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ଅର୍ଥାତ୍ ମୋଦିଙ୍କ ସଂପତ୍ତି ୧,୪୧ କୋଟିରୁ ବୃଦ୍ଧି ପାଇ ବର୍ତ୍ତମାନ ୨କୋଟି ଟଙ୍କାରେ ପହଂଚିଛି ।

ପିଏମଓର ୱେବସାଇଟରେ ଜାରି ହୋଇଥିବା ଏକ ଆକଳନ ମୁତାବକ, କେନ୍ଦ୍ରୀୟ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଯାଭେଡକରଙ୍କ ସଂପତ୍ତିରେ କୌଣସି ବୃଦ୍ଧି ପାଇନାହିଁ ବରଂ ଏହି ଦୁଇ ବର୍ଷ କାଳରେ ତାଙ୍କର ସଂପତ୍ତି ୫୦ ପ୍ରତିଶତକୁ ହ୍ରାସ ପାଇଛି । ଏହି ଆକଳନ ମୁତାବକ, ଯାଭେଡକରଙ୍କ ସଂପତ୍ତି ୨୦୧୪-୧୫ରେ ୧,୧୧ କୋଟି ଟଙ୍କାର ରହିଥିବାବେଳେ ବର୍ତ୍ତମାନ ତଥା ୨୦୧୬-୧୭ରେ ଏହା ୫୬ ଲକ୍ଷକୁ ହ୍ରାସ ପାଇଛି ।

କେନ୍ଦ୍ରୀୟ ପରିସଂଖ୍ୟାନ ଏବଂ କ୍ରିୟାବଲମ୍ବୀ ମନ୍ତ୍ରୀ ସଦାନନ୍ଦ ଗୌଡାଙ୍କ ସଂପତ୍ତି ମଧ୍ୟ ୪୨,୩ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ୨୦୧୪-୧୫ରେ ସଦାନନ୍ଦଙ୍କ ସଂପତ୍ତି ୪,୬୫ କୋଟି ଟଙ୍କା ରହିଥିବାବେଳେ, ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୬.୬୨ କୋଟି ଟଙ୍କାରେ ପହଂଚିଛି ।

ଅନ୍ୟପଟେ, କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ସଂପତ୍ତିରେ ମଧ୍ୟ ୨୩.୫ ପ୍ରତିଶତ ବୃଦ୍ଧି ହୋଇଛି । ପୂର୍ବରୁ ତାଙ୍କର ସଂପତ୍ତି ୭,୯୭ କୋଟି ରହିଥିବାବେଳେ ବର୍ତ୍ତମାନ ତାହା ୯,୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସଂପତ୍ତିରେ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ୨୦୧୪-୧୫ରେ ତାଙ୍କର ସଂପତ୍ତି ୪.୫୫ କୋଟି ଟଙ୍କା ରହିଥିଲା ଯାହାକି ବର୍ତ୍ତମାନ ତଥା ୨୦୧୬-୧୭ରେ ମାତ୍ର ୧୭,୪ ପ୍ରତିଶତକୁ ବୃଦ୍ଧି ପାଇଛି ।ଅର୍ଥାତ୍ ୨୦୧୬-୧୭ରେ ଏହା ୪.୫୫ କୋଟିରୁ ବୃଦ୍ଧି ପାଇ ୫,୩୪ କୋଟିରେ ପହଂଚିଛି । କେନ୍ଦ୍ର ମନ୍ତ୍ରୀ ବି କେ ସିଂହଙ୍କ ସଂପତ୍ତିରେ ବି ମାତ୍ର ୧୨.୫ ପ୍ରତିଶତ ବୃଦ୍ଧି ଘଟିଛି । ବିକେଙ୍କ ସଂପତ୍ତିି ପୂର୍ବରୁ ୬୯ ଲକ୍ଷ ଥିବାବେଳେ ବର୍ତ୍ତମାନ ତାହା ୭୮ ଲକ୍ଷକୁ ବୃଦ୍ଧି ପାଇଛି ।

କେନ୍ଦ୍ର ମନ୍ତ୍ରୀ ଗଜପତି ରାଜୁଙ୍କ ସଂପତ୍ତିି ୧.୭ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ରାଜୁଙ୍କର ସଂପତ୍ତି ୬,୯୮ କୋଟି ଥିଲା ଯାହାକି ବର୍ତ୍ତମାନ ୭,୮କୁ ବୃଦ୍ଧି ପାଇଛି । ସେହିପରି କେନ୍ଦ୍ର କ୍ଷୁଦ୍ର କଲ୍ୟାଣ ମନ୍ତ୍ରୀ ମୁସ୍ତାର ଅବାସ ନକବିଙ୍କ ସଂପତ୍ତିରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି । ଅର୍ଥାତ୍ ୨୦୧୪-୧୫ରେ ଅବାସଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୯୯ଲକ୍ଷ ରହିଥିଲାବେଳେ ବର୍ତ୍ତମାନ ତାହା ମାତ୍ର ୧.୦୭ କୋଟି ଟଙ୍କା ହୋଇଛି ।

ତେବେ ଯାଭେଡକରଙ୍କ ବ୍ୟତୀତ ଯେଉଁ ଯେଉଁ ମନ୍ତ୍ରୀମାନଙ୍କର ସଂପତ୍ତି ହ୍ରାସ ପାଇଛି ବୋଲି ଏହି ଆକଳନରେ ଦର୍ଶାଯାଇଛି ସେମାନଙ୍କ ମଧ୍ୟରେ ଖାଦ୍ୟ ଏବଂ ଉପଭୋକ୍ତା ବିଭାଗୀୟ ମନ୍ତ୍ରୀ ରାମବିଳାସ ପାସୱନ (୩୦.୮ ପ୍ରତିଶତ), କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା (୧୪.୬ ପ୍ରତିଶତ), ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ (୪.୩ ପ୍ରତିଶତ) ସାମିଲ ଅଛନ୍ତି । ବର୍ତ୍ତମାନ ଯଦି ଏହିସବୁ ମନ୍ତ୍ରୀମାନଙ୍କ ପତ୍ନୀଙ୍କ ସଂପତ୍ତିକୁ ଯୋଡି ଦିଆଯାଏ ତେବେ ଏହି ଆକଳନ ଆହୁରୀ ଆଶ୍ଚର୍ଯ୍ୟଜନକ ଲାଗିବ ।

ଇତି ମଧ୍ୟରେ ଯାଭେଡକର ଏବଂ ତାଙ୍କ ପତ୍ନୀ ପ୍ରାଚୀ ଯାଭେଡକରଙ୍କର ସଂପତ୍ତିକୁ ମିଶାଇ ଦୁଇ ବର୍ଷ ମଧ୍ୟରେ ୧୦୭ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ରାମବିଳାସ ପାସୱନ ଏବଂ ତାଙ୍କ ପତ୍ନୀଙ୍କ ସଂପତ୍ତି ମିଶାଇଲେ ତାହା ହ୍ରାସ ପାଇନି ବରଂ ୧୪.୯ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ୧.୨୩ କୋଟି ଟଙ୍କାର ଅଟେ । ତେବେ ମୋଦିଙ୍କ ୧୪ ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ଅରୁଣ ଜେଟଲୀ । ଯାହାଙ୍କର ସଂପତ୍ତିର ମୂଲ୍ୟ ୬୭.୭ କୋଟି ରହିଥିବା ବେଳେ ତାଙ୍କ ପତ୍ନୀ ସଙ୍ଗୀତା ଜେଟଲୀଙ୍କ ପାଖରେ ରହିଛି ୧୦୦.୯୭ କୋଟି ଟଙ୍କାର ସଂପତ୍ତି ।

ସୌଜନ୍ୟ: ଜନସତ୍ତା