ସ୍କୁଲ ବ୍ୟାଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ! ଗୁଜୁରାଟରେ ବଣ୍ଟାଯାଇଥିବା ସ୍କୁଲ୍ ବ୍ୟାଗରେ ଅଖିଳେଶଙ୍କ ଫଟୋ

51

ସରକାରୀ ସ୍କୁଲରେ ଅଧିକରୁ ଅଧିକ ପିଲାଙ୍କୁ ପାଠ ପଢିବା ପାଇଁ ଆକୃଷ୍ଟ କରିବା ନିମନ୍ତେ ଗୁଜୁରାଟ ସରକାରଙ୍କ ପକ୍ଷରୁ ପ୍ରବେଶ ଉତ୍ସବ କରାଯାଉଛି । ତେବେ ଏହି ଅବସରରେ ଦେଖାଦେଇଛି ଏକ ଭିନ୍ନ ଦୃଶ୍ୟ । ଉତ୍ସବ ଅବସରରେ ପିଲାମାନଙ୍କୁ ନିକଟରେ ୧୨ହଜାର ସ୍କୁଲ ବ୍ୟାଗ୍ ବଣ୍ଟାଯାଇଥିଲା ବେଳେ ଏହି ବ୍ୟାଗରେ ଷ୍ଟିକରିଂ ହୋଇଥିଲା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଫଟୋ । ଆଉ ଫଟୋ ତଳେ ଲେଖା ହୋଇଥିଲା ‘ଖୁବ୍ ପଢ଼ାଓ, ଖୁବ୍ ବଢ଼ାଓ ’ ।

ଛୋଟା ଉଦେପୁର ଜିଲ୍ଲା ପଂଚାୟତ ପକ୍ଷରୁ ଏକ ଆଦିବାସୀ ବହୁଳ ଗ୍ରାମ ସାଙ୍ଖେଡାରେ ପିଲାଙ୍କ ନାମ ଲେଖା ପାଇଁ ଏକ ଅଭିଯାନ କରାଯାଇଥିଲା । ଏହି ଅବସରରେ ବଣ୍ଟାଯାଇଥିବା ସ୍କୁଲ୍ ବ୍ୟାଗରେ ଅଖିଲେଶଙ୍କ ଫଟୋ ଥିଲା । ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗୁଜୁରାଟ ଶିକ୍ଷା ବିଭାଗ ପକ୍ଷରୁ ସୁରତର ଏକ ଫାର୍ମକୁ ବ୍ୟାଗ ପାଇଁ ଅର୍ଡର ଦିଆଯାଇଥିଲା । ଏଥିରେ ଗୁଜୁରାଟ ଶିକ୍ଷା ବିଭାଗର ଫଟୋ ଲାଗିବାକୁ ନିର୍ଦ୍ଦେଶ ମଧ୍ୟ ଥିଲା । ତେବେ ଫଟୋରେ ଅଖିଲେଶ ଥିବା ଦେଖିବାକୁ ମିଳିଛି । ହୋଇପାରେ ପୂର୍ବରୁ ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂସ୍ଥା ବ୍ୟାଗ୍ ଯୋଗାଉଥିଲା ବେଳେ କିଛି ବଳିଯାଇଥିବାରୁ ଏଠାକୁ ପଠାଇଦେଇଛି । ଶିକ୍ଷା ବିଭଅଗର ପ୍ରମୁଖ ସଚିବ ସୁନୈନା ତୋମାର୍ କହିଛନ୍ତି ଯେ, ଆମେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛୁ , ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।