ବାପା, ମା’ଙ୍କ ସହ ସମୟ କାଟିବାକୁ ସରକାରୀ କର୍ମଚାରୀଙ୍କୁ ଛୁଟି ଦେଲେ ରାଜ୍ୟ ସରକାର। କହିଲେ, ପିତାମାତାଙ୍କ ସହ କାଟନ୍ତୁ ବିଶେଷ ସମୟ।
କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୬ ଓ ୭ ତାରିଖକୁ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଆସାମ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏହାର ଉଦ୍ଦେଶ୍ୟ ବାବଦରେ ମଧ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ପିତାମାତା ଏବଂ ଶାଶୁ-ଶ୍ୱଶୁରଙ୍କ ସହ ସମୟ ବିତାଇବା ପାଇଁ ଏହି ବିଶେଷ ଛୁଟି ଦିଆଯାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଆସାମ ସରକାରଙ୍କ କର୍ମଚାରୀଙ୍କ ପାଇଁ ମୁଁ ୬ ଓ ୭ ଜାନୁଆରୀରେ ବିଶେଷ ଛୁଟି ଘୋଷଣା କରୁଛି। ମୁଁ କର୍ମଚାରୀମାନଙ୍କୁ ଅନୁରୋଧ କରୁଛି ଯେ ଏହି ସମୟ ମଧ୍ୟରେ ସେମାନଙ୍କ ପିତାମାତା ଓ ଶାଶୁ-ଶ୍ୱଶୁରଙ୍କ ସହିତ ଗୁଣାତ୍ମକ ସମୟ ଅତିବାହିତ କରନ୍ତୁ । ତେବେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆହୁରି ମଧ୍ୟ କହିଛନ୍ତି, ‘ମୁଁ କର୍ମଚାରୀମାନଙ୍କୁ ସେମାନଙ୍କ ପିତାମାତାଙ୍କ ସହ ସମୟ କାଟିବାକୁ ଅନୁରୋଧ କରୁଛି । ସେମାନଙ୍କ ଆଶୀର୍ବାଦରେ ନୂତନ ଆସାମ ଏବଂ ନୂତନ ଭାରତର ପୁନଃନିର୍ମାଣ କରିବାକୁ ଅନୁରୋଧ କରୁଛି’।
ଆସାମ ସରକାର ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟ ସରକାରୀ ମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ପିତାମାତା ଓ ଶାଶୁ-ଶ୍ୱଶୁରଙ୍କ ସହ ସମୟ ବିତାଇବା ଉଚିତ। ଯେଉଁ କର୍ମଚାରୀମାନଙ୍କର ପିତାମାତା କିମ୍ବା ଶାଶୁ-ଶ୍ୱଶୁର ଜୀବିତ ନାହାଁନ୍ତି, ସେମାନେ ବିଶେଷ ଛୁଟି ପାଇବାକୁ ଯୋଗ୍ୟ ହେବେ ନାହିଁ । ତେବେ ଜରୁରୀକାଳୀନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଯଦିଓ ବର୍ତ୍ତମାନ ଏହି ଛୁଟି ନେଇପାରିବେ ନାହିଁ, କିନ୍ତୁ ପରେ ଦୁଇ ଦିନ ଛୁଟି ନେଇପାରିବେ ।