କଂପାନୀ ବିକିଲେ ଅମ୍ବାନୀ । ୧୯ ହଜାର କୋଟିରେ କିଣିଲେ ଅଦାନୀ । ଋଣରେ ବୁଡିଥିବା ରିଲାଏନ୍ସ ଏନର୍ଜୀକୁ କଲେ ଅଧିଗ୍ରହଣ
ଗୋଟିଏ ପଟେ ବଡ ଭାଇ ବିଶ୍ୱର ଧନୀ ତାଲିକାରେ ସ୍ଥାନ ପାଇଥିବା ବେଳେ ଅନ୍ୟ ପଟେ ସାନ ଭାଇ ଏବେ ସାଜିଛି ଦାଣ୍ଡର ଭିକାରୀ । ଯେଉଁଠି ବଡ ଭାଇ ବିଶ୍ୱର କୋଟି କୋଟି ଜନତାଙ୍କୁ ମାଗଣା ସେବା ଯୋଗାଉଥିବା ବେଳେ ସାନ ଭାଇକୁ ନିଜର ବ୍ୟବସାୟକୁ ବିକିବାକୁ ପଡିଛି । ଆଜ୍ଞା ହଁ ! ଏଠାରେ ଆମେ ଆଲୋଚନା କରୁଛୁ କୋଟପତି ମୁକେଶ ଅମ୍ବାନୀ ଓ ତାଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କ ସଂପର୍କରେ । ବଡ ଭାଇ ଦେଶବାସୀଙ୍କୁ ମାଗଣା ସେବା ଯୋଗାଉଥିବା ବେଳେ ସାନ ଭାଇ ଅନିଲଙ୍କର ପରିସ୍ଥିତି ଏବେ ଦେବାଳିଆରେ ପହଂଚିଛି । କରଜରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବାଧ୍ୟ ହୋଇ ନିଜର ରିଲାଏନ୍ସ ଏନର୍ଜିକୁ ବିକିବାକୁ ପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଅନିଲଙ୍କର ଏହି ବ୍ୟବସାୟକୁ କିଣିଛି ଅଦାନୀ ଗ୍ରୁପ ଆଉ ଅନିଲଙ୍କ ରିଲାଏନ୍ସ ଏନର୍ଜିର ମୁମ୍ବାଇସ୍ଥିତ ବିଜନେସକୁ ୧୮,୮୦୦ କୋଟି ଟଙ୍କାରେ କିଣିଛି । ରିଲାଏନ୍ସ ଇନଫ୍ରଷ୍ଟ୍ରକଚର ପରିସରରେ ଆସୁଥିବା ରିଲାଏନ୍ସ ଏନର୍ଜି ଇଲେକଟ୍ରିସିଟି ଜେନରେସନ, ଟ୍ରାନ୍ସମିଶନ ଏବେ ଅଦାନୀ ଗ୍ରୁପ ମାଲିକାନାରେ ରହିବ । ରିଲାଏନ୍ସ ଏନର୍ଜିର ମୁମ୍ବାଇରେ ପାଖାପାଖି ୩୦ ଲକ୍ଷ ଉପଭୋକ୍ତା ରହିଛନ୍ତି । ଯେଉଁମାନେ କି ଆଗାମୀ ଦିନ ମାନଙ୍କରେ ଅଦାନୀ ଗ୍ରୁପ ନାଁରେ ବିଲ ପରିଶୋଧ କରିବେ । ଯାହାକୁ ନିକଟରେ ଉଭୟଙ୍କ ମଧ୍ୟରେ ପାୱାର ସେକ୍ଟରରେ ହୋଇଥିବା ଅଧିଗ୍ରହଣକୁ ସବୁଠାରୁ ବଡ ଅଧିଗ୍ରହଣ ବୋଲି କୁହାଯାଇଛି ।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ରିଲାଏନ୍ସ ଇନଫ୍ରା ଏବଂ ଅଦାନୀ ଟ୍ରାନ୍ସମିସନ ଗତକାଲି ଏସପିଏରେ ଚୁକ୍ତିନାମା ବା ହସ୍ତାକ୍ଷର କରିଛି । ବୈଧାନିକ ମଂଜୁରୀ ମିଳିବା ପରେ ଏହାକୁ ଔପଚାରିକ ରୂପରେ ଦେଇ ଦିଆଯିବ । ରିଲାଏନ୍ସ ଏନର୍ଜି ପୂର୍ବ ଏବଂ ପଶ୍ଚିମ ମୁମ୍ବାଇରେ ବିଦ୍ୟୁତ୍ ସପ୍ଲାଏ ଭଳି କାମ କରିଥାଏ । ଅଦାନୀ ଗ୍ରୁପ ରିଲାଏନ୍ସ ଏନର୍ଜିର ମାଲିକ ହେବା ପରେ ଏବେ ଉପଭୋକ୍ତାମାନେ ଏବେ ଅଦାନୀ ଟ୍ରାନ୍ସମିସନର ହୋଇଯିବେ ।
ଖାଲି ଏତିକି ନୁହେଁ, ରିଲାଏନ୍ସ ଏନର୍ଜି କିଣିବା ପରେ ଅଦାନୀ ଗ୍ରୁପ ଇଲେକ୍ଟ୍ରିସିଟି ଜେନେରେସନ-ଟ୍ରାନ୍ସମିସନ ପରେ ଏବେ ଡିଷ୍ଟ୍ରିବ୍ୟୁସନ କ୍ଷେତ୍ରରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିପାରିବ । ଏଠାରେ ଆମେ କହି ରଖୁଛୁ କି, ରିଲାଏନ୍ସ ଏନର୍ଜିର ମୁମ୍ବାଇସ୍ଥିତ ବ୍ୟବସାୟକୁ ବିକିବା ଦ୍ୱାରା ରିଲାଏନ୍ସ ଇନଫ୍ରାକୁ ମିଳିବ ପାଖାପାଖି ୧୩,୨୫୧ କୋଟି ଟଙ୍କା । ଏଥିସହିତ କଂପାନୀର ମାଲିକାନା ହକ୍ ଟ୍ରାନ୍ସଫର ହେବା ପରେ ୫୫୦ କୋଟି ଟଙ୍କାର ଅତିରିକ୍ତ ଭାବେ ମିଳିବ ।