ଭରା ନାଳ ଭିତରକୁ ଖସି ପଡିଲା କାର ! ଜୀବନକୁ ବାଜି ଲଗାଇ ପୁଅକୁ ବଂଚାଇଲା ମାଆ, କେନାଲ ବନ୍ଧରେ ଭାରସାମ୍ୟ ହରାଇ ଉଛୁଳା ପାଣିକୁ ଖସି ଯାଇଥିଲା ଗାଡି ।

37

କନକ ବ୍ୟୁରୋ : ପୁଅର ଜୀବନ ବଂଚାଇବାକୁ ମା’ ନିଜ ଜୀବନକୁ ବାଜି ଲଗାଇପାରେ । ହୁଏତ, ଏମିତି ଅନେକ କାହାଣୀ ପଢ଼ିଥିବେ, ଅନେକ ଫିଲ୍ମ ଦେଖିଥିବେ । ହେଲେ ସତସତିକା ଏମିତିଆ ଏକ ଘଟଣା ଦେଖିବାକୁ ମିଳିଛି । ଭରା କୋନଲରେ ଭିତରକୁ ଖସି ପଡିଲା କାର । ଆଉ ନିଜ ଜୀବନକୁ ବାଜି ଲଗାଇ ପୁଅକୁ ବଂଚାଇଲେ ମା’ । ତ୍ରିବେଣୀଶ୍ୱର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ରାସ୍ତାରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା ।

ବହୁଚର୍ଚ୍ଚିତ ବାହୁବଳୀ ଫିଲ୍ମର ଏକ ଦୃଶ୍ୟ ସହ ହୁଏତ ଆପଣ ପରିଚିତ ଥିବେ । ଯେତେବେଳେ ପୁଅର ଜୀବନ ବଂଚାଇବା ପାଇଁ ଜଣେ ମା’ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଠିକ୍ ଏହି ଦୃଶ୍ୟ ସହ ସାମଞ୍ଜସ୍ୟ ରଖୁଥିବା ଘଟଣାଟିଏ ଘଟିଛି ଓଡ଼ିଶାରେ । ୩ବର୍ଷର ପୁଅକୁ ବଂଚାଇବାକୁ ଯାଇ ଏଠି ବି ଜଣେ ମା’ ଠିକ୍ ସେମିତି ନିଜେ ପାଣିରେ ବୁଡି ରହି ପୁଅକୁ ଟେକି ଧରି ରଖିଛନ୍ତି ।

୨୧ ଅକ୍ଟୋବର ଦିନ ସାଢ଼େ ୧୧ଟା । ଯାଜପୁର ବାଲିପଡ଼ିଆ ଗାଁର ବିଜୟ ପଣ୍ଡା ପରିବାର ନେଇ କାରରେ କଟକରୁ ଘରକୁ ଫେରୁଥିଲେ । ହେଲେ ଜଳେଶ୍ୱରପୁର ନିକଟରେ ଘଟିଗଲା ଏକ ବଡଧରଣର ଅଘଟଣ  । ଆବଡ଼ା ଖାବଡ଼ା ରାସ୍ତା ଯୋଗୁଁ ଅଚାନକ୍ କାରଟି ଭାରସାମ୍ୟ ହରାଇଲା  । ଆଉ ଚାହୁଁଚାହୁଁ ରାସ୍ତାକଡ଼ରେ ଥିବା ଭରା କେନାଲରେ ପଶିଗଲା କାର । କାର ଭିତରେ ଥାନ୍ତି, ବିଜୟଙ୍କ ସ୍ତ୍ରୀ ଦେବସ୍ମିତା ଏବଂ ୩ବର୍ଷର ପୁଅ । ଠିକ୍ ଏତିକି ବେଳେ ପୁଅର ଜୀବନ ବଂଚାଇବା ପାଇଁ ମା’ ଦେଖାଇଥିଲେ ମାତୃ ସ୍ନେହର ସବୁଠୁ ବଡ ନିଦର୍ଶନ । ନିଜେ ପାଣି ଭିତରେ ବୁଡି ରହି ପୁଅକୁ ଟେକି ଧରି ରଖିଥିଲେ । ବାହାରକୁ ବାହାରିବା ପାଇଁ ସ୍ୱାମୀ କାରର ଆଗପଟ କାଚ ଭାଙ୍ଗିବା ପରେ ମା ଓ ପୁଅଙ୍କୁ ଉଦ୍ଧାର କରାଯାଇଥିଲା ।

ଭରା କେନାଲ ଭିତରକୁ ଖସି ପଡିଲା କାର୍ । ଜୀବନକୁ ବାଜି ଲଗାଇ ପୁଅକୁ ବଂଚାଇଲା ମା’ । କୁନି ପୁଅର ଜୀବନକୁ ବଂଚାଇବା ପାଇଁ ତାଙ୍କ ମା’ ନିଜ ଜୀବନକୁ ଖାତିର କରିନଥିଲେ । ବଡ କଥା ହେଉଛି, ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳର ଲୋକ ଦେବଦୂତ ସାଜି ଏହି ପରିବାରଙ୍କ ପାଖରେ ଠିଆ ହୋଇଯାଇଥିଲେ । ଚାହୁଁଚାହୁଁ ଲୋକ ରୁଣ୍ଡ ହୋଇଯାଇଥିଲେ । ଦମକଳ ବାହିନୀଙ୍କ ସହାୟତାରେ ବୁଡି ଯାଇଥିବା କାରକୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପାଇଁ ଏହି ପରିବାରର ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ ।