ମିଶିଯିବ କି ରାଜ୍ୟ ଓ କେନ୍ଦ୍ରର ଯୋଜନା? ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ, ବିଜେଡି ସାଂସଦ କହିଲେ ଚାଲିଛି ଆଲୋଚନା ।

487

କନକ ବ୍ୟୁରୋ : ମିଶିଯିବ କି ରାଜ୍ୟ ଓ କେନ୍ଦ୍ରର ଯୋଜନା? କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣର ପରେ ପରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଶ୍ରଣଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୁଷ୍ମାନ ଯୋଜନାରେ ଓଡିଶାକୁ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ପୁଣିଥରେ ଅନୁରୋଧ କରିଛନ୍ତି । ଏପରିକି ଏହି ଯୋଜନାରେ ରାଜ୍ୟବାସୀ ଉପକୃତ ହେବେ ବୋଲି କହିଛନ୍ତି ହର୍ଷବର୍ଦ୍ଧନ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆୟୁଷ୍ମାନ ଯୋଜନାରେ ଓଡିଶା ଖୁବଶୀଘ୍ର ସାମିଲ ହେଉ ଓ ଓଡିଶା ବାହାରେ ଥିବା ଓଡିଆ ଲୋକଙ୍କୁ ମଧ୍ୟ ଏହାର ସୁବିଧା ମିଳୁ ବୋଲି କହିଛନ୍ତି ।

ଆଉ ଏହାର ଜବାବରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଶ୍ରଣକୁ ନେଇ ସକାରାତ୍ମକ ବୟାନ ଦେଇଛନ୍ତି । ଉଭୟ ଯୋଜନାର ମିଶ୍ରଣକୁ ନେଇ ଆଲୋଚନା ଚାଲିଛି । ତେବେ ଦୁଇଟି ଯୋଜନାରେ ଭିନ୍ନ ଭିନ୍ନ ବ୍ୟବସ୍ଥା ଓ ଗାଇଡଲାଇନ ରହୁଥିବାରୁ ଏଥିରେ ସମୟ ଲାଗୁଛି ବୋଲି କହିଛନ୍ତି ଅମର ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆୟୁଷ୍ମାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜନୀତି ଗରମ ହୋଇଥିଲା । କେନ୍ଦ୍ର ଆୟୁଷ୍ମାନ ଯୋଜନା ଲାଗୁ କରିବା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ପ୍ରଥମେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପରେ ମହିଳାଙ୍କ ପାଇଁ ଚିକିତ୍ସା ରାଶି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଆଉ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଏହା ଥିଲା ଆଉ ଏକ ମାଷ୍ଟରଷ୍ଟ୍ରୋକ ।
ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଦେଶରେ ଅଧିକାଂଶ ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁଥିବା ବେଳେ ଓଡିଶାବାସୀ ଏଥିରୁ କାହିଁକି ବାଦ୍ ପଡିବେ ବୋଲି ପ୍ରଶ୍ନ କରିଥିଲେ । ଆୟୁଷ୍ମାନ ଯୋଜନାରେ କୌଣସି ଦେଶର ଯେକୌଣସି ହସ୍ପିଟାଲରେ ଚିକିତ୍ସିତ ହୋଇପାରିବ ତେଣୁ ଏଥିରୁ ଓଡିଶାବାସୀଙ୍କୁ ବଞ୍ଚିତ ନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ବାଚନ ସଭାରୁ କହିଥିଲେ ।

ଏହାର ଜବାବରେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ, ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଥିଲେ ରାଜ୍ୟର ୯ ଲକ୍ଷ ପରିବାର ମାଗଣା ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତେ । କାରଣ ଆୟୁଷ୍ମାନ ଭାରତ ଯୋଜନାରେ ୬୧ ଲକ୍ଷ ପରିବାର ସାମିଲ ହେବାକୁ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ସାମିଲ କରାଯାଇଛି । ଏହାଛଡା ମହିଳା ମାନଙ୍କୁ ଚିକିତ୍ସା ବାବଦକୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବା ବେଳେ ଆୟୁଷ୍ମାନ ଯୋଜନାରେ ଏଭଳି ସୁବିଧା ପାଇନଥାନ୍ତେ ହିତାଧିକାରୀ । ତେଣୁ ଆୟୁଷ୍ମାନ ଯୋଜନା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ । ଆଉ ଏଭଳି କାରଣ ଦର୍ଶାଇ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ସିଧାସଳଖ ମନା କରିଥିଲେ ରାଜ୍ୟ ସରକାର ।

ତେବେ ସରକାର ଗଠନର ୭ ମାସ ନ ବିତୁଣୁ ପ୍ରଥମେ ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ଓ ଆଉ ଏବେ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଆଗକୁ ବଢୁଛନ୍ତି ରାଜ୍ୟ ସରକାର । କାଳିଆ ଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କିଛି ଗାଇଡଲାଇନ ଥିବାରୁ ଏଥିରେ ସମୟ ଲାଗୁଛି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ।