ସାମାଜିକ ଉନ୍ନତିରେ ୨୫ତମ ସ୍ଥାନରେ ଓଡ଼ିଶା

33

କନକ ବ୍ୟୁରୋ : ସାମାଜିକ ଉନ୍ନତିରେ ଓଡ଼ିଶା ଦେଶର ୨୯ଟି ରାଜ୍ୟ ମଧ୍ୟରୁ ୨୫ ସ୍ଥାନରେ ରହିଥିବା ଦେଖାଦେଇଛି । ସାମାଜିକ ଉନ୍ନତିରେ କେରଳ, ହିମାଚଳପ୍ରଦେଶ ଭଳି ରାଜ୍ୟ ଆଗରେ ରହିଥିବା ବେଳେ ପଛରେ ଥିବା ରାଜ୍ୟ ବର୍ଗରେ ରହିଛି ଓଡ଼ିଶା । ତେବେ ଗତ ୧୧ ବର୍ଷ ମଧ୍ୟରେ ଭାରତର ରାଜ୍ୟଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ୮ ପଏଂଟ୍ ଉନ୍ନତି କରିଛନ୍ତି । ନୀତି ଆୟୋଗ ସହାୟତାରେ ଇନଷ୍ଟିଚୁଟ୍ ଫର୍ କମ୍ପିଟିଟିଭନେସ୍ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏହା ପଦାକୁ ଆସିଛି ।

ସାମାଜିକ ଉନ୍ନତିରେ ମଣିଷର ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା; ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭଳି ସର୍ବନିମ୍ନ ସୁବିଧା, ସାମାଜିକ ସ୍ୱାଧୀନତା ଭଳି ମୋଟ ୫୪ଟି ମୌଳିକ ଆବଶ୍ୟକତାକୁ ନେଇ ମାର୍କ ଦିଆଯାଇଛି । ପ୍ରଥମ ଥର ପାଇଁ ଆମେରିକାର ପ୍ରଖ୍ୟାତ ସଂସ୍ଥା “ସୋସିଆଲ୍ ପ୍ରୋଗ୍ରେସ୍ ଇମ୍ପରେଟିଭ୍’’ ସହ ଭାରତର ନୀତି ଆୟୋଗ ବିଭିନ୍ନ ରାଜ୍ୟର ସାମାଜିକ ପ୍ରଗତି ଉପରେ ଏଭଳି ଅନୁଧ୍ୟାନ କରିଛି । କେବଳ ଆର୍ଥିକ ପ୍ରଗତି କାରଣରୁ ଗୋଟିଏ ରାଜ୍ୟ ସାମାଜିକ ପ୍ରଗତିରେ ଆଗେଇ ଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି । ଆର୍ଥିକ ଦୃଷ୍ଟିକୋଣରୁ ଗୁଜରାଟ ଓ କେରଳର ଜିଏସ୍ଡିପି ପ୍ରାୟ ସମାନ ଥିଲେ ବି ସାମାଜିକ ପ୍ରଗତିରେ ଗୁଜରାଟଠାରୁ ୧୧ ପଏଂଟ୍ ଆଗରେ ରହିଛି କେରଳ । ୧୦୦ ମାର୍କରୁ କେରଳକୁ ସର୍ବାଧିକ ୬୮ ମାର୍କ ମିଳିଥିବାବେଳେ, ଗୁଜରାଟକୁ ମିଳିଛି ୫୭ ମାର୍କ । ବିହାର ସର୍ବନିମ୍ନ ୪୫ ମାର୍କ ପାଇ ଶେଷରେ ଥିବା ବେଳେ, ଓଡ଼ିଶା ୫୨ ମାର୍କ ପାଇଛି ।

୨୦୦୫-୧୬ ମସିହା ବା ୧୧ ବର୍ଷ ଭିତରେ ଭାରତର ସାମାଜିକ ଉନ୍ନତି ହାରାହାରି ୮ ପଂଏଟ ବୃଦ୍ଧି ପାଇଛି । ଏହି ସମୟ ଭିତରେ ଭାରତ ଲୋକଙ୍କୁ ବାସସ୍ଥାନ ଯୋଗାଇବା ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିଥିବା ଦେଖାଯାଇଛି । ଅନ୍ୟପଟରେ ବିଶ୍ୱର ୧୨୮ଟି ଦେଶ ମଧ୍ୟରୁ ଏବେ ବି ଭାରତର ସ୍ଥାନ ୯୩ ରହିଥିବାବେଳେ ଚୀନ୍ ୮୩, ଆମେରିକା ୧୮ତମ ସ୍ଥାନରେ ରହିଛନ୍ତି । ସ୍ୱିଜରଲାଣ୍ଡ ପଂଚମ ସ୍ଥାନରେ ରହିଥିବା ବେଳେ ଓ ଡେନମାର୍କ ପ୍ରଥମ ସ୍ଥାନ ହାସଲ କରିଛି।